ଏସ୍‌ସିବିର ୬ ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ୍‌

କଟକ ଅଫିସ୍‌,୧୨ା୩: କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ବିଭିନ୍ନ ସମୟରେ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ୬ଜଣକ ନମୁନା ରିପୋର୍ଟ ଆସିଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ବୁଧବାର ଡିସ୍‌ଚାର୍ଜ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ପାରାଦୀପରୁ ଆସିଥିବା ଦମ୍ପତ୍ତି। ଅନ୍ୟମାନଙ୍କୁ ଆଗାମୀ ଦିନରେ ଡିସ୍‌ଚାର୍ଜ କରାଯିବ ବୋଲି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ରବିବାର କଟକ ସହର ରାଣୀହାଟ ଅଞ୍ଚଳ ଜଣେ ଯୁବକ ଏବଂ ସୋମବାର କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ କରୋନା ସନ୍ଦେହରେ ଏସ୍‌ସିବି ମେଡିକାଲ୍‌ର ଆଇସୋଲେଶନ୍‌ ୱାର୍ଡରେ ଭର୍ତ୍ତି ହୋଇଥିଲେ। କଟକର ଯୁବକ ଜଣକ ଦିଲ୍ଲୀ ଏବଂ ଆଗ୍ରା ଭ୍ରମଣ କରି ଘରକୁ ଫେରିବା ପରେ ତାଙ୍କୁ ଥଣ୍ଡା କାଶ ହୋଇଥିଲା। ଏଣୁ ପରିବାରବର୍ଗ ତାଙ୍କୁ ରବିବାର ଏସ୍‌ସିବିରେ ଭର୍ତ୍ତି କରିଥିଲେ। ସେହିଭଳି ଓମାନ୍‌ରୁ ଫେରିଥିବା କେନ୍ଦ୍ରାପଡ଼ାର ଯୁବକ ଜଣକ ମଧ୍ୟ କାଶ ଏବଂ ଜ୍ୱରରେ ପୀଡ଼ିତ ହେବା ପରେ ସୋମବାର ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। କଟକ ଯୁବକଙ୍କ ନମୁନା ପୁଣେ ଏବଂ କେନ୍ଦ୍ରାପଡ଼ା ଯୁବକଙ୍କ ନମୁନା ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ଉଭୟ ନମୁନାର ରିପୋର୍ଟ ନେଗେଟିଭ୍‌ ରହିଛି।

Share