ଏସ୍‌ସିବି ଅଧୀକ୍ଷକଙ୍କ ଷ୍ଟେନୋ କୋଟିପତି: ଠାବହେଲା ୧ କୋଟି ୩ ଲକ୍ଷ ୬୪ ହଜାର ୮୮୦ ଟଙ୍କାର ସମ୍ପତ୍ତି

କଟକ ଅଫିସ, ୫ା୧୨: ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କ ଷ୍ଟେନୋ ପ୍ରମୋଦ କୁମାର ବସନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ଜାରି ତଲାସି ୱାରେଣ୍ଟ ବଳରେ ଭିଜିଲାନ୍ସ କଟକ ଡିଭିଜନ ଅଧିକାରୀମାନେ ବୁଧବାର ବସନ୍ତରାଙ୍କ ଘର, ଅଫିସ ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛନ୍ତି। ଚଢାଉ ହୋଇଥିବା ସ୍ଥାନଗୁଡ଼ିକ ହେଉଛି କଟକସ୍ଥିତ ତାଙ୍କ ସରକାରୀ କ୍ବାର୍ଟର୍ସ, ଜଗତପୁରର ଚମ୍ପତି ଗ୍ରାମରେ ଥିବା ୨ଟି କୋଠା, ଜଗତପୁର ନିମପୁରସ୍ଥିତ ଦୁଇ ମହଲା କୋଠା, କଟକରେ ଥିବା ଜଣେ ସମ୍ପର୍କୀୟଙ୍କ ଘର ଓ ଏସ୍‌ସିବି ପରିସରସ୍ଥ କାର୍ଯ୍ୟାଳୟ। ଏହି ସବୁ ସ୍ଥାନରେ ମୋଟ ୧ କୋଟି ୩ ଲକ୍ଷ ୬୪ହଜାର ୮୮୦ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ସମସ୍ତ ସମ୍ପତ୍ତି ବସନ୍ତରା ଓ ତାଙ୍କ ପରିବାରବର୍ଗଙ୍କ ଦଖଲରେ ଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଜଗତପୁର ନିମପୁରଠାରେ ଥିବା ଦୁଇ ମହଲା କୋଠାର ମୂଲ୍ୟ ୫୧ ଲକ୍ଷ ୩୩ହଜାର ୩୮୭ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଚମ୍ପତ୍ତି ଗ୍ରାମରେ ଥିବା ଦୁଇଟି ଏକ ମହଲା କୋଠାରେ ବସନ୍ତରାଙ୍କ ୮ଲକ୍ଷ ଟଙ୍କାର ଭାଗ ରହିଛି । କଟକରେ ତାଙ୍କର ୪ଟି ପ୍ଲଟ ରହିଛି । ଉକ୍ତ ପ୍ଲଟ୍‌ ସମୂହର ମୂଲ୍ୟ ୪ଲକ୍ଷ ୯୯ହଜାର ୫୩୪ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବସନ୍ତରାଙ୍କର ୪ଲକ୍ଷ ୬୫ହଜାର ଟଙ୍କା ମୂଲ୍ୟର ଏକ କାର୍‌ ଥିବାବେଳେ ୧ ଲକ୍ଷ ୮୧ହଜାର ଟଙ୍କା ମୂଲ୍ୟର ଗୋଟିଏ ବୁଲେଟ ମୋଟରସାଇକେଲ ଓ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟର ଥିବା ଭିଜିଲାନ୍ସ ତଲାସିରୁ ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କ, ପୋଷ୍ଟ ଅଫିସ ଓ ବୀମା ପଲିସିରେ ବସନ୍ତରା ୨୦ ଲକ୍ଷ ୬୫ହଜାର ୫୨୯ ଟଙ୍କା ଜମା ରଖିଥିବା ବେଳେ ତାଙ୍କ ଘରୁ ୫ ଲକ୍ଷ ୫୧ହଜାର ଟଙ୍କା ମୂଲ୍ୟର ସୁନା, ରୁପା ଗହଣା ଠାବ ହୋଇଛି। ଘରୁ ନଗଦ ୧ ଲକ୍ଷ ୩୪ ହଜାର ୪୧୦ ଟଙ୍କା ସମେତ ୫ଲକ୍ଷ ୩୫ ହଜାର ଟଙ୍କା ମୂଲ୍ୟର ଆସବାବପତ୍ର ଠାବ କରାଯାଇଛି। ଏହାବାଦ ବସନ୍ତରା ନିଜ ପୁଅ, ଝିଅଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପାଠପଢା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ସୂଚନା ଦେଇଛି।

Share