ଏସ୍‌ସିବି ପୁନର୍ବିନ୍ୟାସ: ଜୋବ୍ରା ଅଞ୍ଚଳରେ ଉଚ୍ଛେଦ ବେଳେ ପ୍ରତିବାଦ

କଟକ ଅଫିସ,୬।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ର ନବକଳେବର ଲାଗି ଗୁରୁବାର ଜୋବ୍ରା ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି। ଇଲେକ୍ଟ୍ରି ଅଫିସଠାରୁ ଚୂନଭାଟି ଗଳି ଏବଂ ନାଳକଡ଼ ରାସ୍ତାରୁ ଉଚ୍ଛେଦ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରତିବାଦ କରୁଥିବା ଦେଖାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି।

ପ୍ରକାଶ ଯେ, ଏସ୍‌ସିବିକୁ ଅନ୍ତର୍ଜାତୀୟସ୍ତରର ମେଡିକାଲ କରିବା ଲାଗି ରାଜ୍ୟ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଆବଶ୍ୟକ ପଡ଼ୁଥିବା ଜମି ଲାଗି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦରେ ହସ୍‌ପିଟାଲ ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସ ଉଚ୍ଛେଦ ହେବ ବୋଲି କୁହାଯାଉଛି। ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ। ଫେବୃୟାରୀ ୨୮ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ସରିବା ପରେ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ଲକ୍ଷ୍ୟ ରହିଛି।

Share