ଏସ୍‌ସିବି ବୁଲିଲେ ଡବ୍ଲ୍ୟୁଏଚ୍‌ଓ ଟିମ୍‌: ଫନୀ କ୍ଷୟକ୍ଷତିର ଅନୁଧ୍ୟାନ, ଉଚ୍ଚସ୍ତରୀୟ ବୈଠକ

କଟକ ଅଫିସ, ୨୯।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଦୁଇଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଏସ୍‌ସିବି ମେଡିକାଲ ପରିଦର୍ଶନ କରିଛନ୍ତି। ସଂଗଠନର ନ୍ୟାଶନାଲ ପ୍ରଫେସନାଲ ଅଫିସର ଡକ୍ଟର ପଭନା ମୂର୍ତ୍ତି ଓ ସଂଗଠନର ରିଜିଓନାଲ ଟିମ୍‌ ଲିଡର ଡକ୍ଟର ନୀହାର ରଞ୍ଜନ ରାୟଙ୍କୁ ନେଇ ଗଠିତ ଏହି ଟିମ୍‌ ମେଡିକାଲରେ ଫନୀ ପ୍ରସ୍ତୁତି, ମୁକାବିଲା ଓ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଫନୀ ପୂର୍ବରୁ ରୋଗୀମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ମେଡିକାଲ ପକ୍ଷରୁ କିଭଳି ବ୍ୟବସ୍ଥା କରାଯାଇଥିଲା ସେ ସବୁର ଟିକିନିଖି ତର୍ଜମା ଏହି ଦୁଇ ଜଣ ପ୍ରତିନିଧି କରିଥିଲେ। ଏହା ପରେ ମେଡିକାଲ କଲେଜ ପ୍ରିନ୍ସିପାଲ ପ୍ରଫେସର ଡା.ଜୟଶ୍ରୀ ମହାନ୍ତି ଓ ଅଧୀକ୍ଷକ ପ୍ରଫେସର ଡା. ସି.ବି.କେ. ମହାନ୍ତିଙ୍କ ସହିତ ଏହି ଦୁଇ ଜଣ ପ୍ରତିନିଧି ବିସ୍ତୃତ ଆଲୋଚନା କରିଥିଲେ।
ଗତ ୩ ତାରିଖରେ ହୋଇଥିବା ଫନୀ ବାତ୍ୟାରେ ମେଡିକାଲର ପଲ୍‌ମନାରି ମେଡିସିନ ବିଭାଗର ଭ୍ୟାକ୍ୟୁମ ରିସିଭର ଟ୍ୟାଙ୍କ ଓ ଅକ୍ସିଜେନ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଇଟିଜି ମେଶିନ, ଅଟୋକ୍ଲେଭ ଆଦି କ୍ଷତିଗ୍ରସ୍ତ ହୋଇଥିଲା। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଏସି, ଫ୍ୟାନ ଓ ଗ୍ୟାସ ପାଇପଲାଇନ ଆଦି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏସ୍‌ଏନ୍‌ସିୟୁର ୧୦ଟି ୱାରମର, ୧୬ଟି ସିରିଞ୍ଜ ପମ୍ପ, ୫ଟି ସକ୍‌ସନ ମେଶିନ, ୫ଟି ଫଟୋଥେରାପି, ୮ଟି ଅକ୍ସିଜେନ କନ୍‌ସନଟ୍ରେଟର, ୬ଟି ଅକ୍ସିମେଟର, ୩ଟି ଓଜନ ମେଶିନ ଓ ୧୦ଟି ୱାରମର ବେଡ୍‌ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ହୃଦବକ୍ଷଶଲ୍ୟ ବିଭାଗର ଆଇସିୟୁ କ୍ଷତିଗ୍ରସ୍ତ ହୋଇଥିବା ମେଡିକାଲ ପକ୍ଷରୁ ଅନୁଧ୍ୟାନ କରି ଦଳକୁ ଅବଗତ କରାଯାଇଥିଲା। ଅନ୍ୟପକ୍ଷରେ ଫନୀ ବାତ୍ୟା ପାଇଁ ମେଡିକାଲ ପକ୍ଷରୁ ବ୍ୟାପକ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ଦର୍ଶାଯାଇଥିଲା। ବିଦ୍ୟୁତ୍‌ ବିଭ୍ରାଟ ନ ହେବା ପାଇଁ ଜେନେରେଟରଗୁଡ଼ିକୁ ଆଗୁଆ ପ୍ରସ୍ତୁତ ରଖାଯାଇଥିବା ବେଳେ ପାନୀୟଜଳ ଯୋଗାଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଅନୁଧ୍ୟାନକାରୀ ଟିମ୍‌କୁ ମେଡିକାଲ ପକ୍ଷରୁ ଦର୍ଶାଯାଇଛି।

Share