ଏସ୍‌ସିବି ମେଡିକାଲରେ ଅବ୍ୟବସ୍ଥା: ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

କଟକ ଅଫିସ,୨୫ା୨: ଏସ୍‌ସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ହେଲେ ଏଠାରେ ଅନେକ ଅବ୍ୟବସ୍ଥା ରହିଥିବା କଟକର ସ୍ବେଚ୍ଛାସେବୀ ସଙ୍ଗଠନ ‘ସେବା ମନ୍ଦିର’ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ, ୫-ଟି ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଓ କଟକ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ବିଭାଗର ବାରଣ୍ଡାରେ କିଛି କର୍ମଚାରୀ ବାଇକ୍‌, ସ୍କୁଟି, ସାଇକେଲ ରଖୁଛନ୍ତି। ଏଥିଯୋଗୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏପରି କି ବାରଣ୍ଡାରେ ରୋଗୀ ପଡ଼ିଥିବାବେଳେ ସେମାନଙ୍କ ମୁଣ୍ଡ ପାଖରେ ରହୁଛି ଗାଡ଼ି ଓ ସାଇକେଲ। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି ବୋଲି ସଙ୍ଗଠନର ସଦସ୍ୟ ଅଚ୍ୟୁତ କୁମାର ସାହୁ କହିଛନ୍ତି। ଏ ନେଇ ଏସ୍‌ସିବି ମେଡିକାଲର ଜରୁରୀକାଳିନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା କୁହନ୍ତି, ଏ ସମ୍ପର୍କରେ ମୋ ପାଖରେ ଖବର ନାହିଁ। ତଥାପି ଏହା ଉପରେ ତଦନ୍ତ କରାଯିବ।

Share