ଏସ୍‌ସିବି ମେଡିକାଲରେ ଆବଶ୍ୟକ ପଡୁଛି ସ୍ବତନ୍ତ୍ର ନିଶ୍ଚେତକ

କଟକ ଅଫିସ,୨୨।୬: ଶଲ୍ୟ ବିଭାଗ କାଳକ୍ରମେ ସମ୍ପ୍ରସାରିତ ଓ ବିଭାଜିତ ହୋଇ ବିଭିନ୍ନ ପ୍ରକାରର ସୁପର୍‌ ସ୍ପେଶିଆଲିଟି ବିଭାଗ ସୃଷ୍ଟି ହୋଇଛି। ଫଳରେ ନ୍ୟୁରୋ ସର୍ଜରି (ସ୍ନାୟୁ), ସିଟିଭିଏସ୍‌ (ହୃଦ୍‌ ଶଲ୍ୟ ବକ୍ଷ), ୟୁରୋ (ମୂତ୍ରାଶୟ) ଏବଂ ପ୍ଳାଷ୍ଟିକ ସର୍ଜରି ପରି ବିଭାଗ ଯୋଗୁ ରୋଗୀସେବା ଆହୁରି କ୍ରିୟାଶୀଳ ହୋଇଛି। ସେହିପରି ନିଶ୍ଚେତକ ବିଭାଗ ବି ରୋଗୀସେବାରେ ଅଧିକ ସଫଳ ହେବା ପାଇଁ ଏହା ସମ୍ପ୍ରସାରଣ ଜରୁରୀ ଥିବା ମତ ରଖିଛନ୍ତି ଏସ୍‌ସିବିର ନ୍ୟୁରୋ ସର୍ଜରି ଏବଂ ସିଟିଭିଏସ୍‌ ବିଭାଗୀୟ ମୁଖ୍ୟ।
ଉଭୟଙ୍କ କହିବା ଅନୁଯାୟୀ, ଆମ ଦେଶର ଅନେକ ପ୍ରମୁଖ ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ବତନ୍ତ୍ର ଭାବେ ସ୍ନାୟୁ ଓ ହୃଦ୍‌ ଶଲ୍ୟ ବିଭାଗ ପାଇଁ ଯୋଗ୍ୟତାପ୍ରାପ୍ତ ନ୍ୟୁରୋ ଓ କାର୍ଡିଆକ ଆନାସ୍ଥେସିଆ ଡାକ୍ତର ଥିବା ସହ ବିଭାଗ ବି ରହିଛି। ଏହା ବ୍ୟତୀତ ସେହି ସବୁ ସ୍ଥାନରେ ସ୍ନାୟୁ ଓ ହୃଦ୍‌ ଶଲ୍ୟ ଆନାସ୍ଥେସିଆରେ ଡି.ଏମ୍‌ ପାଠ୍ୟକ୍ରମର ବ୍ୟବସ୍ଥା ମଧ୍ୟ ଅଛି। ଏସ୍‌ସିବିକୁ ଏମ୍‌ସ ପ୍ଲସ୍‌ କରିବାର ଯୋଜନା ଥିବାରୁ ଏଭଳି ପ୍ରସ୍ତାବକୁ ବିଚାରକୁ ନିଆଯିବା ଜରୁରୀ ଓ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରୋଗୀସେବା ବ୍ୟାପକ ହେବ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଉପରୋକ୍ତ ଦୁଇ ବିଭାଗ ମୂଳ ଆନାସ୍ଥେସିଆ ବିଭାଗ ଉପରେ ନିର୍ଭର କରୁଛନ୍ତି। ମୂଳ ଆନାସ୍ଥେସିଆ ବିଭାଗର ଡାକ୍ତରମାନେ ଏସ୍‌ସିବିର ସମସ୍ତ ବିଭାଗରେ ଅସ୍ତ୍ରୋପଚାର ପାଇଁ ସହଯୋଗ ଦେଇଥାନ୍ତି। କିନ୍ତୁ ସ୍ବତନ୍ତ୍ର ଭାବେ ନ୍ୟୁରୋ ଓ କାଡିର୍ର୍ଆକ ଆନାସ୍ଥେସିଆ ବିଭାଗ ହେଲେ ନିର୍ବିଘ୍ନରେ କାମ କରାଯିବା ସହ ବୈଷୟିକ ତ୍ରୁଟିକୁ ମଧ୍ୟ ଏଡ଼ାଇ ଦେଇହେବ। ସେହିପରି ଡି.ଏମ୍‌ ପାଠ୍ୟକ୍ରମ ଆରମ୍ଭ ପାଇଁ ଭିତ୍ତିଭୂମିରେ ଅନେକ ପରିବର୍ତ୍ତନ ଓ ଆବଶ୍ୟକତା ରହିଛି। ସବୁଠାରୁ ମୁଖ୍ୟ ଆବଶ୍ୟକତା ହେଲା ଯୋଗ୍ୟତାପ୍ରାପ୍ତ ଡାକ୍ତର ନିଯୁକ୍ତି। କାରଣ ଏସ୍‌ସିବିର ଏହି ଦୁଇ ବିଭାଗରେ ଅସ୍ତ୍ରୋପଚାର କରାଇବା ପାଇଁ ରୋଗୀ ସଂଖ୍ୟାରେ ଅଭାବ ନାହିଁ। କେବଳ ଡାକ୍ତର ସଂଖ୍ୟା ପୂରଣ ଓ ଅନ୍ୟ ଭିତ୍ତିଭୂମି ସଜାଡ଼ି ଦିଆଗଲେ ଏମ୍‌ସିଆଇ ଅନୁମୋଦନ ମିଳିବାରେ ମଧ୍ୟ ବାଧା ଉପୁଜିବ ନାହିଁ ବୋଲି ମତ ପ୍ରକାଶ ପାଇଛି।

Share