ଏସ୍‌ସିବି ମେଡିକାଲରେ ପ୍ରଥମ କରୋନା ସନ୍ଦିଗ୍ଧ

କଟକ ଅଫିସ,୨।୨: ଚାଇନାର ସିଚୁଆନ ସ୍ଥିତ ସାଉଥ ୱେଷ୍ଟ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମ୍‌ବିବିଏସ ପଢୁଥିବା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଚିକିତ୍ସାଲାଗି ତାଙ୍କୁ ଏସ୍‌ସିବି ମେଡିକାଲର ସ୍ବତନ୍ତ୍ର ଆଇସୋଲେଶନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଛାତ୍ରଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା କହିଛନ୍ତି। ତେବେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ନଜର ରଖିବ।

ସୂଚନାଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ସମ୍ପୃକ୍ତ ଛାତ୍ର ଗତ ଶୁକ୍ରବାର କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେ ଗତ ଜାନୁୟାରୀ ୧୧ ତାରିଖରେ ଚାଇନାରୁ ଫୁଲବାଣୀ ଫେରିଥିଲେ। ପ୍ରାୟ ଏକ ସପ୍ତାହ ହେଲା ତାଙ୍କୁ କାଶ ଓ ଥଣ୍ଡା ଲାଗି ରହିଥିଲା। ଚାଇନାରୁ ଫେରିଥିବାରୁ ତାଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଥିଲା। ଏ ନେଇ ସେ କନ୍ଧମାଳ ସିଡିଏମ୍‌ଓଙ୍କୁ ଚିଠି ଲେଖି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସ୍ବତନ୍ତ୍ର ଭାବେ କରାଯିବାକୁ ନିବେଦନ କରିଥିଲେ। ତେବେ ସେଠାରେ କୌଣସି ସ୍ବତନ୍ତ୍ର ସୁବିଧା ନ ଥିବାରୁ ତାଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ଏସ୍‌ସିବି ମେଡିକାଲର ଅତିରିକ୍ତ ଅଧୀକ୍ଷକ ଡା. ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ନୋଡାଲ ଅଫିସର ଭାବେ ପଲ୍ୟୁମନାରି ବିଭାଗର ମୁଖ୍ୟ ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ ଦାୟିତ୍ୱରେ ରହିବେ। ଟିମ୍‌ରେ ସଦସ୍ୟ ଭାବେ ଭେଷଜ ବିଭାଗ, ନିଶ୍ଚେତକ ବିଭାଗ, କମ୍ୟୁନିଟି ଭେଷଜ ବିଭାଗ, ମାଇକ୍ରୋବାୟୋଲୋଜି ବିଭାଗ, ଇଏନ୍‌ଟି ବିଭାଗର ମୁଖ୍ୟଙ୍କ ସହ ମେଡିକାଲର ଜରୁରିକାଳୀନ ଅଧିକାରୀ ଏବଂ ଷ୍ଟୋର ଅଫିସର ରହିଛନ୍ତି।

Share