ଏସ୍‌ସିବି ମେଡିକାଲରେ ବିରଳ ପ୍ଲାଷ୍ଟିକ ସର୍ଜରି:ଶିଶୁ ହାତରେ ଲାଗିଲା ଆଙ୍ଗୁଠି

କଟକ ଅଫିସ,୧।୩: ଏକ ବିରଳ ପ୍ଲାଷ୍ଟିକ ସର୍ଜରି କରି ଆଉ ଏକ ସଫଳତା ହାସଲ କରିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲ। ପ୍ଲାଷ୍ଟିକ ସର୍ଜରି ବିଭାଗରେ ଜଣେ ୧୫ ମାସ ବୟସର ଶିଶୁକନ୍ୟାଙ୍କ ହାତରେ ଡାକ୍ତରମାନେ ଆଙ୍ଗୁଠି ଯୋଡ଼ିଛନ୍ତି। ରାଜ୍ୟ ଚିକିତ୍ସା ଇତିହାସରେ ଏହା ପ୍ରଥମ ବୋଲି କୁହାଯାଉଛି। ଦେବଗଡ଼ ଜିଲା ଛତାବର ଅଞ୍ଚଳର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଝିଅ ସ୍ମୃତିରେଖାଙ୍କ ଡାହାଣ ହାତରେ ମାତ୍ର ୪ଟି ଆଙ୍ଗୁଠି ଥିଲା। ବୁଢ଼ାଅଙ୍ଗୁଳି ନ ଥିଲା। ଜିନିଷ ଧରିବାରେ ଅସୁବିଧା ହେଉଥିଲା। ପ୍ଲାଷ୍ଟିକ ସର୍ଜରି ବିଭାଗରେ ପହଞ୍ଚିବା ପରେ ବିଭାଗୀୟ ମୁଖ ପ୍ରଫେସର ଡା. ବିଭୂତି ନାୟକ ସ୍ମୃତିରେଖାଙ୍କ ପରୀକ୍ଷା କରିଥିଲେ। ସେଇ ଡାହାଣ ହାତରୁ ହିଁ ଗୋଟିଏ ଆଙ୍ଗୁଠିକୁ କାଢ଼ି ବୁଢ଼ା ଅଙ୍ଗୁଳିରେ ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାର କଠିନ ହୋଇଥିଲେ ମଧ୍ୟ ପ୍ରଫେସର ନାୟକ ଏବଂ ତାଙ୍କ ଟିମରେ ଥିବା ଡା. ଆଶିଷ ପଟ୍ଟନାୟକ, ଡା. ମହେଶ ମଣ୍ଡଳ, ଡା. ଚନ୍ଦନ ଏବଂ ଡା. ରୋଜାଲିନ ପ୍ରମୁଖ ଅସ୍ତ୍ରୋପଚାର କରିଥିଲେ। ଡା. ନାୟକଙ୍କ କହିବାନୁଯାୟୀ, ନିକଟରେ ରାଜ୍ୟ ସରକାର ଏସ୍‌ସିବିକୁ ଅତ୍ୟାଧୁନିକ ମାଇକ୍ରୋସ୍କୋପ ଯୋଗାଇ ଦେଇଥିଲେ। ଫଳରେ ଅସ୍ତ୍ରୋପଚାରରେ ସହଜ ହେଲା। ତିନିଘଣ୍ଟା ପର୍ଯ୍ୟନ୍ତ ସ୍ମୃତିରେଖାଙ୍କ ହାତରେ ଏହି ଅଙ୍ଗୁଳି ପ୍ରତିରୋପଣ କରାଯାଇଥିଲା। ପ୍ରତିରୋପଣ ହୋଇଥିବା ବୁଢ଼ା ଅଙ୍ଗୁଳିଟି ସପ୍ତାହକ ପରେ କାର୍ଯ୍ୟ ଆରମ୍ଭ କରିବ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଅନ୍ୟ ସାଧାରଣ ପିଲାଙ୍କ ଭଳି ସେ ନିଜ ହାତରେ ସବୁ କାମ କରିପାରିବେ ବୋଲି ଡା. ନାୟକ ସୂଚନା ଦେଇଛନ୍ତି।

ଉଲ୍ଲେଖଥାଉ କି ଏସ୍‌ସିବି ମେଡିକାଲରେ ପ୍ଲାଷ୍ଟିକ୍‌ ସର୍ଜରି କ୍ଷେତ୍ରରେ ପୂର୍ବରୁ ଅନେକ ସଫଳତା ମିଳିଛି। ଅନ୍ୟପକ୍ଷରେ ଗତ ୩ ତାରିଖରେ କାଡାଭେରିକ କିଡ୍‌ନୀ ପ୍ରତିରୋପଣ କରି ଏସ୍‌ସିବି ମେଡିକାଲ ରାଜ୍ୟ ପାଇଁ ଇତିହାସ ସୃଷ୍ଟି କରିଥିଲା।

Share