ଏସ୍‌ସିବି ମେଡିକାଲରେ ଭିଜିଲାନ୍ସର ଖୋଳତାଡ: ୨୯୪ କର୍ମଚାରୀ ନିଯୁକ୍ତିକୁ ନେଇ ଅଡୁଆ ପରିସ୍ଥିତି

କଟକ ଅଫିସ,୧୨।୧୨: ଏସ୍‌ସିବି ମେଡିକାଲରେ ଏକ ଘରୋଇ ସଂସ୍ଥା ମାଧ୍ୟମରେ ୨୯୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତିରେ ବ୍ୟାପକ ଜାଲିଆତି କରାଯାଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ ଏବେ ଭିଜିଲାନ୍ସ କରୁଛି। ପୂର୍ବରୁ ଭିଜିଲାନ୍ସ ଏହି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଜବତ କରିଥିଲା। ଏବେ ଉକ୍ତ କାଗଜପତ୍ରକୁ ନେଇ ଭିଜିଲାନ୍ସ ଅଧିକ ଖୋଳତାଡ କରୁଛି। ବୁଧବାର ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ ସହିତ ମେଡିକାଲର ତତ୍କାଳୀନ ବିତ୍ତ ଅଧିକାରୀ ଓ ଜଣେ ବରିଷ୍ଠ କିରାଣିଙ୍କୁ ଭିଜିଲାନ୍ସରୁ ଡକରା ଆସିଥିଲା। ୩ଜଣ ଭିଜିଲାନ୍ସରେ ଉପସ୍ଥିତ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି। ସୂଚନାଥାଉ କି, ମେଡିକାଲର ମୋଟ ୧୧୦୨ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ମଧ୍ୟରୁ ବହୁ ସଂଖ୍ୟକ ପଦବୀ ଖାଲି ପଡିଥିଲା। ୬ମାସ ତଳେ ମେଡିକାଲରେ ନିଯୁକ୍ତ ଏକ ଘରୋଇ ସଂସ୍ଥା ମାଧ୍ୟମରେ ୨୯୪ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା। ସବୁଠୁ ବଡକଥା ହେଉଛି ମେଡିକାଲରେ ନିୟୋଜିତ ଘରୋଇ ସଂସ୍ଥାଗୁଡିକ ସହିତ ମେଡିକାଲ କର୍ମଚାରୀଙ୍କ ନିବିଡ ସମ୍ପର୍କ ରହିଛି। ଏପରି କି ଉକ୍ତ ସଂସ୍ଥାଗୁଡିକ ମଧ୍ୟରୁ କେତେକ ସଂସ୍ଥାରେ ମେଡିକାଲ କର୍ମଚାରୀ ସହଭାଗୀ ହୋଇ ବ୍ୟବସାୟ କରୁଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି। ନିକଟରେ ମେଡିକାଲ ଅଧୀକ୍ଷକଙ୍କ ଷ୍ଟେନୋ ପ୍ରମୋଦ ବସନ୍ତରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଘଟଣା ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ ବେହେରା କୁହନ୍ତି, ଭିଜିଲାନ୍ସ ଆମକୁ ଯେଉଁ କାଗଜପତ୍ର ମାଗିଛି ଆମେ ସେ ସବୁ ଭିଜିଲାନ୍ସକୁ ଦେଇଛୁ। ନିଯୁକ୍ତି ପ୍ରକ୍ରିୟାରେ ସେଭଳି କିଛି ଅନିୟମିତତା ମୋ ନଜରରେ ନ ଥିବା ବେହେରା କହିଛନ୍ତି।

Share