ଏସ୍‌ସିବି ମେଡିକାଲ: ନିରାଶ୍ରୟଙ୍କ ସଂଖ୍ୟା ବଢ଼ାଉଛି ଚିନ୍ତା

କଟକ ଅଫିସ,୭।୬: ସରକାରୀ ଚିକିତ୍ସାଳୟରେ ନିରାଶ୍ରୟ ଲୋକଙ୍କ ସଂଖ୍ୟା ଏବେ ଚିନ୍ତା ବଢ଼ାଇଛି। କଟକର ଏସ୍‌ସିବି, ଶିଶୁଭବନ ଓ ସିଟି ହସ୍ପିଟାଲରେ ଏହି ସ୍ଥିତି ଗମ୍ଭୀର। କେବଳ ଏସ୍‌ସିବିରେ ଏବେ ଏମାନଙ୍କ ସଂଖ୍ୟା ୨୦୦ ଟପିଲାଣି। ଅସ୍ଥିଶଲ୍ୟ ବିଭାଗରେ ୨୨ ଓ ସ୍ପାଇନାଲ ଇଞ୍ଜୁରି ବିଭାଗରେ ୧୫ରୁ ଅଧିକ ନିରାଶ୍ରୟ ଦେଢ଼ବର୍ଷରୁ ଅଧିକ ଦିନ ହେଲା ରହିଲେଣି। ସେହିପରି ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ମାନସିକ ରୋଗ, ସ୍ନାୟୁ ଶଲ୍ୟ ବିଭାଗରେ ମଧ୍ୟ ଏମାନଙ୍କ ସଂଖ୍ୟା ଉଦ୍‌ବେଗଜନକ।

ଏସ୍‌ସିବିର କେତେଜଣ ଡାକ୍ତରଙ୍କ କହିବା ଅନୁଯାୟୀ, କୌଣସି ରୋଗୀ ସୁସ୍ଥ ହେବାରେ ବିଳମ୍ବ ହେଲେ କିମ୍ବା ଭଲ ହେବାର ଆଶା କ୍ଷୀଣ ହେଲେ ତାଙ୍କୁ ହସ୍ପିଟାଲରେ ଛାଡ଼ିଦେଇ ପରିବାର ଓ ସମ୍ପର୍କୀୟମାନେ ପଳାଉଛନ୍ତି। ସେମାନେ ଭାବୁଛନ୍ତି ଯେ ହସ୍ପିଟାଲରେ ରହିବା ଓ ଖାଇବା ମାଗଣାରେ ମିଳୁଛି। ତେଣୁ ଛାଡ଼ିଦେଇ ଗଲେ କିଛି ଅସୁବିଧା ହେବ ନାହିଁ। ରୋଗୀଣା ଲୋକ ଘର ପାଇଁ ବୋଝ ଭାବି ତାଙ୍କୁ ଉଭୟ ଥିଲାବାଲା ଓ ନ ଥିଲାବାଲା ଲୋକେ ଡାକ୍ତରଖାନାରେ ଛାଡ଼ି ପଳାଉଛନ୍ତି। ଏହିପରି ଏବେ ହସ୍ପିଟାଲରେ ସବୁ ବୟସ ଓ ସବୁ ଲିଙ୍ଗର ନିରାଶ୍ରୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ସରକାରୀ ନିୟମ ଅନୁସାରେ କୌଣସି ରୋଗୀକୁ ୪୫ ଦିନରୁ ଅଧିକ ସମୟ ହସ୍ପିଟାଲରେ ରଖାଯାଇ ପାରିବ ନାହିଁ।

କେତେକ ଡାକ୍ତର କହିଛନ୍ତି, ସେମାନେ ଓ୍ବାର୍ଡ ରାଉଣ୍ଡରେ ଯିବାବେଳେ ଯଦି କେଉଁ ରୋଗୀଙ୍କ ସମ୍ପର୍କୀୟଙ୍କ କିଛିଦିନ ଧରି ଦେଖା ନ ମିଳେ, ତେବେ ଚିନ୍ତା ବଢ଼ିଯାଏ। ରୋଗୀଙ୍କ ଦୁର୍ଦ୍ଦିନରେ ସେମାନଙ୍କୁ ନା ସେଠାରୁ ଘଉଡ଼ାଇ ହେଉଛି ନା ରଖି ହେଉଛି। ବାଧ୍ୟହୋଇ ସେମାନେ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ଏସ୍‌ସିବି ଅଧୀକ୍ଷକ କହିଛନ୍ତି, ହସ୍ପିଟାଲରେ ନିରାଶ୍ରୟ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଇଲାଣି। ଏନେଇ ଜିଲାପାଳ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଅବଗତ କରାଯାଇଛି। ଜିଲାପାଳ ଏନେଇ ଏକ ବୈଠକ ଡାକିବେ ଓ ତାହାର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Share