ଏସ୍‌ସିବି ମେଡିକାଲ: ୭ମାସରେ ଆସିଲେଣି ୨୮ ଜିଲାର ଡେଙ୍ଗୁ ରୋଗୀ

କଟକ ଅଫିସ,୨୩।୭: ଏସ୍‌ସିବି ମେଡିକାଲକୁ ଗତ ଜାନୁୟାରୀରୁ ଜୁଲାଇ ୨୨ ମଧ୍ୟରେ ୨୮ଟି ଜିଲାରୁ ଡେଙ୍ଗୁ ରୋଗୀ ଚିକିତ୍ସା ନିମନ୍ତେ ଆସିଛନ୍ତି। ଏହି ସମୟ ମଧ୍ୟରେ ମୋଟ୍‌ ୨୯୦୭ ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯୯ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ ଚିହ୍ନଟ କରାଯାଇଛି। ଚିହ୍ନଟ ରୋଗୀଙ୍କ ମଧ୍ୟରେ ଭଦ୍ରକରୁ ସର୍ବାଧିକ ୨୧ ଜଣ ଥିବାବେଳେ ଯାଜପୁର, କଟକ, ଜଗତ୍‌ସିଂହପୁରରୁ ୧୮ ଜଣ ଲେଖାଏ ପଜିଟିଭ ରୋଗୀ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୧୩ ଜଣ ପଜିଟିଭ ରୋଗୀ ଥିବାବେଳେ ବାକି ଜିଲାଗୁଡ଼ିକରୁ ୨ରୁ ୫ ଜଣ ମଧ୍ୟରେ ରୋଗୀ ରହିଛନ୍ତି। ରାଜ୍ୟର ମାଲକାନଗିରି ଓ ନବରଙ୍ଗପୁରକୁ ଛାଡ଼ିଦେଲେ ବାକି ସମସ୍ତ ଜିଲାରୁ ଏସ୍‌ସିବି ମେଡିକାଲକୁ ଡେଙ୍ଗୁ ରୋଗୀ ଆସିଥିବା ସହକାରୀ ଡେଙ୍ଗୁ ନୋଡାଲ ଅଫିସର ଡା. ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି। ତେବେ ଜୁଲାଇରୁ ରୋଗୀସଂଖ୍ୟା ବଢିବାରେ ଲାଗିଛି। ମୋଟାମୋଟି ଭାବେ କଟକ ଜିଲା ଓ ସହର ଡେଙ୍ଗୁ ପ୍ରବଣ ଭାବେ ଜଣାଶୁଣା। ପ୍ରତିବର୍ଷ କଟକ ସହରରେ ଡେଙ୍ଗୁ ଉଗ୍ରରୂପ ଧାରଣ କରିଥାଏ। ଚଳିତବର୍ଷ ଜିଲାରେ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ସହରରେ ଥିବା ସମସ୍ତ ଶିଳ୍ପସଂସ୍ଥାଗୁଡ଼ିକର ପାରିପାର୍ଶ୍ୱିକ ପରିବେଶ ସଫା ନ ରହୁଥିବାରୁ ଡେଙ୍ଗୁଜ୍ୱର ଦେଖାଦେଇଛି। ଏଡିସ୍‌ ମଶା ଏହି ଜ୍ୱରର କାରଣ। ଶିଳ୍ପାଞ୍ଚଳ ମଧ୍ୟରେ ଏହି ମଶା ବଂଶ ବୃଦ୍ଧିର ଉତ୍ସ ଓ ଅଣ୍ଡାଦାନ ସ୍ଥାନକୁ ସମୂଳେ ନିପାତ କରିବାକୁ ଜିଲାପାଳ ଭବାନୀ ଶଙ୍କର ଚୟନୀ ଗୁରୁତ୍ୱ ଦେଇଛନ୍ତି। ସେହିପରି ସିଏମ୍‌ସି ପକ୍ଷରୁ ସଫେଇ ଓ ମଶାଧୂଅଁା ସ୍ପ୍ରେ, ମଶାତେଲ ପକାଇବା କାର୍ଯ୍ୟ ଜାରି ରହିଥିବାବେଳେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଏକ ମନିଟରିଂ ସେଲ୍‌ ରଖିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଆୟୁଷ ଡାକ୍ତରମାନେ ଜିଲାର ବିଭିନ୍ନ ସ୍କୁଲକୁ ଯାଇ ଛାତ୍ରୀଛାତ୍ରମାନଙ୍କୁ ଡେଙ୍ଗୁରୋଗର କାରଣ ଓ ତାହାର ପ୍ରତିକାର ସମ୍ପର୍କରେ ସଚେତନ କରାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓ ବେସରକାରୀ ସ୍ତରର ସମସ୍ତ ସଙ୍ଗଠନ ଏବଂ ଅନୁଷ୍ଠାନ ନିଜ ଅଞ୍ଚଳରେ ଏଡିସ୍‌ ମଶା ଡିମ୍ବ ଦେଇପାରିବା ସ୍ଥାନଗୁଡ଼ିକୁ ନଷ୍ଟ କରିବା ପାଇଁ ପଦକ୍ଷେପ ନେବା ଜରୁରୀ। ପରିବାର ଓ ଗୋଷ୍ଠୀର ସଦସ୍ୟମାନେ ଘରେ, ସାହିରେ, ଗଁାରେ ତଥା ୱାର୍ଡଗୁଡିକରେ ପରିଷ୍କାର ପାଇଁ ସାମୂହିକ ଉଦ୍ୟମ ଜାରି ରଖିଲେ ଡେଙ୍ଗୁର ପ୍ରତିରୋଧ କରିବା ସମ୍ଭବ ହୋଇପାରିବ ବୋଲି ଜିଲାପାଳ ଚୟନୀ କହିଛନ୍ତି।

Share