ଏସ୍‌ସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ:ଭଙ୍ଗାଗଲା ୯୫ ଘର

କଟକ ଅଫିସ,୩ା୩:ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ସୋମବାର ଠାରୁ ପୁଣି ଥରେ ଆରମ୍ଭ ହୋଇଛି। ସକାଳେ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ମା’ ମଙ୍ଗଳା ବସ୍ତିର ଘରଗୁଡିକୁ ମେଶିନ ସହାୟତାରେ ଭଙ୍ଗା ଯାଇଥିଲା। ପ୍ରାୟ ୯୫ଟି ଘର ଭଙ୍ଗା ଯାଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନିଆଯାଇଛି। ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରୁ ସେମାନଙ୍କୁ ଉଚ୍ଛେଦ କରାଯାଇ ଜଗତ୍‌ପୁରର ନିମପୁରଠାରେ ନିର୍ମିତ ଅସ୍ଥାୟୀ କ୍ୟାମ୍ପକୁ ପଠାଯାଇଛି। ସାମଗ୍ରୀ ସ୍ଥାନାନ୍ତର ପାଇଁ ସିଏମ୍‌ସି ପକ୍ଷରୁ ଗାଡି ଯୋଗାଇ ଦିଆଯାଇଥିଲା। ଅସ୍ଥାୟୀ କ୍ୟାମ୍ପରେ ପ୍ରତି ପରିବାରକୁ ତାରପୋଲିନ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ା ଆସନ୍ତା ଏକ ସପ୍ତାହ ଭିତରେ ନିଜ ନିଜ ସ୍ଥାନରେ ଘର କରି ରହିବାକୁ ସେମାନଙ୍କୁ କୁହାଯାଇଛି। ସେ ପର୍ଯ୍ୟନ୍ତ ସମସ୍ତ ପରିବାରକୁ ଦିନକୁ ତିନି ଓଳା ରନ୍ଧାଖାଦ୍ୟ ଦିଆଯିବ। ଏପରି କି ପ୍ରଶାସନ ପକ୍ଷରୁ ପାନୀୟ ଜଳ, ବିଦ୍ୟୁତ୍‌ ଓ ଟଏଲେଟ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି ା ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଥଇଥାନରେ ଯେପରି କୌଣସି ଅସୁବିଧା ହେବନାହଁି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ଅନିଲ କୁମାର ସାମଲ କହିଛନ୍ତି।
ଅନ୍ୟପକ୍ଷରେ ମେଡିକାଲର ସମ୍ପ୍ରସାରଣ ଓ ଉନ୍ନତୀକରଣ ପ୍ରକଳ୍ପକୁ ରାଜ୍ୟ ପୂର୍ତ୍ତ ବିଭାଗ ସଚିବ ଡ. କିଶନ କୁମାର ସମୀକ୍ଷା କରିଛନ୍ତି। ସୋମବାର ସକାଳେ ସେ ପହଞ୍ଚି ଉଚ୍ଛେଦ ଓ ଥଇଥାନ ସ୍ଥାନ ବୁଲି ଦେଖିଥିଲେ। ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ଆରଡିସି ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଏବଂ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସହିତ ଆଲୋଚନା କରିଥିଲେ। ତେବେ ଉଚ୍ଛେଦକୁ ଲୋକମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଉଚ୍ଛେଦ ସହ କ୍ଷତିପୂରଣ ବାବଦରେ ୫୦ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏନେଇ ଜିଲାପାଳ ଚୟନୀ କହିଛନ୍ତି, ତାଳଦଣ୍ଡା କେନାଲର ବାମ ପାର୍ଶ୍ୱରୁ ବସ୍ତି ଉଚ୍ଛେଦ କରାଯାଇ ଲୋକମାନଙ୍କୁ ନିମପୁର ଅସ୍ଥାୟୀ କ୍ୟାମ୍ପ୍‌କୁ ପଠାଯାଇଛି। ସେଠାରେ ସେମାନଙ୍କ ଲାଗି ଅଧିକ ସୁବିଧା କରାଯାଇଛି। ଏପର୍ଯ୍ୟନ୍ତ ଏସ୍‌ସିବି ମେଡିକାଲ ପାଇଁ ଘରୋଇ ଜମି ଅଧିଗ୍ରହଣ କରାଯାଇନାହିଁ। ଆବଶ୍ୟକ ପଡିଲେ ଏଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିବାବେଳେ ମାଟ୍ରିକ ପରୀକ୍ଷା ଯୋଗୁ ଏହାକୁ ବନ୍ଦ କରାଯାଇଥିଲା।

Share