Categories: ଜାତୀୟ

ଏସ୍‌ସି, ଏସ୍‌ଟି ଆଇନ: ବିନା ତଦନ୍ତରେ ଦାଏର ହୋଇପାରିବ ଏଫ୍‌ଆଇଆର୍‌; ରାୟ ପ୍ରତ୍ୟାହାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୧୦(ପି.ଟି.): ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଆଇନ ସମ୍ପର୍କିତ ରାୟ ଦେବାର ଦେଢ଼ବର୍ଷ ପରେ ସୁପ୍ରିମକୋର୍ଟ ଏହାକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏହାସହ ଦେଶରେ ସମାନତା ଓ ଦଓ୍ବୋନି ଅଧିକାର ପାଇଁ ଦଳିତମାନଙ୍କ ଲଢ଼େଇ ଅଦ୍ୟାବଧି ଶେଷ ହୋଇ ନ ଥିବା ଦର୍ଶାଇ ଉକ୍ତ ଆଇନରେ ଅଭିଯୁକ୍ତଙ୍କ ସ୍ବତଃ ଗିରଫଦାରି ବ୍ୟବସ୍ଥାର ପୁନଃ ପ୍ରଚଳନ କରିଛନ୍ତି।
୨୦୧୮ ମାର୍ଚ୍ଚ ୨୦ରେ ଏସ୍‌ସି, ଏସ୍‌ଟି ନିର୍ଯାତନା ନିବାରଣ ଆଇନ, ୧୯୮୯କୁ ନେଇ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ। ଅଭିଯୋଗ ହେବା ପରେ ସରକାରୀ କର୍ମଚାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଥିବା ବ୍ୟବସ୍ଥାକୁ ହଟାଇ ଦେଇ ଏହି ଆଇନର ଅପବ୍ୟବହାର ହେଉଥିବା ଦର୍ଶାଇଥିଲେ। ଏହାକୁ ନେଇ ସେତେବେଳେ ବହୁ ବିବାଦ ହୋଇଥିଲା। ଆଇନକୁ ଦୁର୍ବଳ କରିଦିଆଯାଇଛି ବୋଲି ଦଳିତ ସଙ୍ଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା। ଚାରିଆଡ଼ୁ ଚାପ ପଡ଼ିବା ପରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ରାୟ ବିରୋଧରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଏର କରିଥିଲେ। ସେହିପରି ଉକ୍ତ ରାୟକୁ ପ୍ରଭାବହୀନ କରିବା ଲାଗି ପାର୍ଲାମେଣ୍ଟ ଆଇନରେ ସଂଶୋଧନ ଆଣିଥିଲା। ଜଷ୍ଟିସ୍‌ ଅରୁଣ ମିଶ୍ର, ଏମ୍‌.ଆର. ଶାହ ଏବଂ ବି.ଆର୍‌. ଗବାଲିଙ୍କୁ ନେଇ ଗତ ୧୩ରେ ଗଠିତ ଖଣ୍ଡପୀଠ କେନ୍ଦ୍ର ପିଟିଶନର ଶୁଣାଣି କରି ମଙ୍ଗଳବାର କହିଛନ୍ତି, ଦେଶରେ ଏସ୍‌ସି, ଏସ୍‌ଟି ବର୍ଗର ଲୋକେ ଏବେ ମଧ୍ୟ ଅସ୍ପୃଶ୍ୟତାକୁ ସାମ୍ନା କରୁଛନ୍ତି। ସମାନତା ପାଇଁ ସେମାନଙ୍କ ସଂଗ୍ରାମ ଶେଷ ହୋଇନାହିଁ। ଏସ୍‌ସି, ଏସ୍‌ଟିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୫ରେ ବ୍ୟବସ୍ଥା ରହିଛି। ଏହାସତ୍ତ୍ୱେ ସେମାନେ ୭୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ସାମାଜିକ ଦୁର୍ବ୍ୟବହାର ଓ ଭେଦଭାବର ଶିକାର ହେଉଛନ୍ତି। ପୂର୍ବରୁ ଏଫ୍‌ଆଇଆର୍‌ ଦାଏର ହେବା ଆଗରୁ ପୋଲିସ ତଦନ୍ତକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ସଦ୍ୟ ରାୟରେ ଏହାକୁ ହଟାଇ ଦିଆଯାଇଛି। ଫଳରେ ଏବେ ଗିରଫ ପୂର୍ବରୁ ଅନୁମତି ନେବା ଆବଶ୍ୟକ ନୁହେଁ।
୨୦୧୮ ମାର୍ଚ୍ଚ ୨୦ରେ ଦୁଇଜଣିଆ ଖଣ୍ଡପୀଠ ଦେଇଥିବା ବିବାଦୀୟ ରାୟକୁ ଗତ ୧୮ରେ ଶୀର୍ଷ ଅଦାଲତ ସମାଲୋଚନା କରିବା ସହ ସହ ରାୟ ସଂରକ୍ଷିତ ରଖିଥିଲେ।

Share