Categories: ଜାତୀୟ

ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧୨(ପି.ଟି.): ଲୋକ ସଭାରେ ମଙ୍ଗଳବାର ଅନୁସୂଚିତ ଜାତି (ଏସ୍‌ସି) ଅନୁସୂଚିତ ଜନଜାତି, (ଏସ୍‌ଟି) ବର୍ଗର ଲୋକଙ୍କ ଲାଗି ୧୦ ବର୍ଷ ପାଇଁ ସଂରକ୍ଷଣ ବୃଦ୍ଧି ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍‌ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଦଳ ନିର୍ବିଶେଷରେ ଉକ୍ତ ବିଲ୍‌କୁ ମଞ୍ଜୁର କରାଯାଇଛି।
ରବିଶଙ୍କର ପ୍ରସାଦ ସମ୍ବିଧାନ (୧୨୬ତମ) ସଂଶୋଧନ ବିଲ୍‌ ଆଗତ କରି କହିଥିଲେ, ଏସ୍‌ସି ଏବଂ ଏସ୍‌ଟି ବର୍ଗରେ ନୂଆ ରାଜନୈତିକ ନେତୃତ୍ୱ ନିର୍ମାଣ ଲାଗି ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଦୁଇ ସମୁଦାୟକୁ ସଂରକ୍ଷଣ ଦେବା ଜରୁରୀ। ସରକାର ଏହି ଦୁଇ ସମୁଦାୟ ସକାଶେ ‘କ୍ରିମି ଲେୟର’ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ଉକ୍ତ ବିଲ୍‌ ସପକ୍ଷରେ ୩୫୨ ଭୋଟ ପଡ଼ିଥିବାବେଳେ ଏହାକୁ କେହି ସଦସ୍ୟ ବିରୋଧ କରି ନ ଥିଲେ। ଏସ୍‌ସି, ଏସ୍‌ଟି ଏବଂ ଆଙ୍ଗ୍ଲୋ-ଇଣ୍ଡିଆନ୍‌ମାନଙ୍କୁ ଗତ ୭୦ ବର୍ଷ ଧରି ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସଂରକ୍ଷଣ ଦିଆଯାଇ ଆସୁଛି। ଏହି ଅବଧି ୨୦୨୦ ଜାନୁୟାରୀ ୨୫ରେ ଶେଷ ହେବାକୁ ଥିବାବେଳେ ସରକାର ଏଥିରେ ଆଉ ୧୦ ବର୍ଷ ବୃଦ୍ଧି କରିଛନ୍ତି। ତେବେ ଆଙ୍ଗ୍ଲୋ-ଇଣ୍ଡିଆନ୍‌ମାନଙ୍କୁ ସଂରକ୍ଷଣ ସୁବିଧା ଦିଆ ନ ଯିବା ନେଇ ସରକାରଙ୍କୁ ବିରୋଧୀ ସଦସ୍ୟମାନେ ସମାଲୋଚନା କରିଥିଲେ। ଆଙ୍ଗ୍ଲୋ-ଇଣ୍ଡିଆନ୍‌ମାନଙ୍କ ପାଇଁ ବାଟ ବନ୍ଦ ହୋଇନାହିଁ। ସେମାନଙ୍କ ସମ୍ପର୍କରେ ବିଚାର କରାଯିବ ବୋଲି ରବିଶଙ୍କର କହିଥିଲେ। ବିଲ୍‌ ଗୃହୀତ ହେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିକୁ ନେଇ ଭାଜପା ସଦସ୍ୟମାନେ ବିରୋଧୀ ବେଞ୍ଚ୍‌କୁ ସମାଲୋଚନା କରିଥିଲେ। ସେହିପରି ଘରୋଇ କ୍ଷେତ୍ରରେ ଚାକିରି ପାଇଁ ସଂରକ୍ଷଣ ସୁବିଧା ଦେବାକୁ ସରକାରଙ୍କ ଯୋଜନା ନାହିଁ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରତନଲାଲ କଟାରିଆ ଲୋକ ସଭାରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଓ ରଖିଲେ ଦଣ୍ଡବିଧାନ ସମ୍ପର୍କିତ ଆର୍ମସ୍‌ (ଆମେଣ୍ଡମେଣ୍ଟ) ବିଲ୍‌, ୨୦୧୯ ମଧ୍ୟ ଲୋକ ସଭାରେ ଗୃହୀତ ହୋଇଛି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଲେ ଦୁଇବର୍ଷ ଜେଲ୍‌ ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦିଆଯିବା ନିୟମ ରହିଥିବା ବିଲ୍‌ ରାଜ୍ୟ ସଭାରେ ଧ୍ୱନିମତରେ ଗୃହୀତ ହୋଇସାରିଛି।

Share