ଏସ୍‌ସି ଓ ଏସ୍‌ଟି ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହେବା ଘଟଣା: ପୀଡ଼ିତାଙ୍କ ଠିକଣା ଦେଇ ହରଡ଼ଘଣାରେ ପୋଲିସ

ଭୁବନେଶ୍ୱର, ୬ା୭(ବ୍ୟୁରୋ): ରାଜଧାନୀର ଏକ ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି ଓ ଏସ୍‌ଟି) ଛାତ୍ରୀ ନିବାସରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛି ପୋଲିସ। ଗଣମାଧ୍ୟମକୁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରେସ୍‌ ରିଲିଜ୍‌ରେ ପରୋକ୍ଷରେ ପୀଡିତାଙ୍କ ଠିକଣା ଉଲ୍ଲେଖ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଚାଇଲ୍ଡ ଲାଇନ୍‌ ଡାଇରେକ୍ଟର ବେଣୁଧର ସେନାପତି ଉଭୟ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ଓ ଓଡ଼ିଶା ଷ୍ଟେଟ୍‌ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍‌ସ (ଓଏସ୍‌ସିପିସିଆର୍‌)ରେ ପିଟିଶନ କରିଛନ୍ତି।
ପୋଲିସର ଏପରି ପ୍ରେସ୍‌ ରିଲିଜ୍‌ କେୟାର ଆଣ୍ଡ୍‌ ପ୍ରେଟେକ୍ସନ ଅଫ୍‌ ଚିଲଡ୍ରେନ ଆକ୍ଟ ୨୦୧୭ ସେକ୍ସନ ୭୪କୁ ଉଲ୍ଲଂଘନ କରୁଛି। ପୋକ୍‌ସୋ ଆକ୍ଟ ଅନୁଯାୟୀ କୌଣସି ନାବଳିକା ପୀଡିତାଙ୍କ ପରିଚୟ ବା ଘର ଠିକଣା ସର୍ବସମ୍ମୁଖରେ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ ଅଟେ। କମିଶନରେଟ ପୋଲିସ ପୋକ୍‌ସୋ,ଜେଜେ ଆକ୍ଟ ଏବଂ ଚାଇଲ୍ଡଲାଇନର ଗାଇଡ୍‌ ଲାଇନକୁ ଉଲ୍ଲଂଘନ କରିଥିବା ନେଇ ଗଣମାଧ୍ୟମରେ ବୁଧବାର ଖବର ପ୍ରକାଶ ପାଇଥିଲା। ଏହାକୁ ଆଧାର କରି ଭୁବନେଶ୍ୱର ଚାଇଲ୍ଡଲାଇନ ଡାଇରେକ୍ଟର ସେନାପତି ପିଟିସନ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖନ ତଦନ୍ତ କରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ଉଲ୍ଲେଖ କରାଯାଇଛି। ଏପରି ଘଟଣାକୁ ଓଏସ୍‌ସିପିସିଆର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଅତି ଗୁରୁତ୍ୱର ସହ ନେଇ କହିଛନ୍ତି, ଅନେକ ଘଟଣାରେ ନାବାଳିକା ପୀଡିତାଙ୍କ ଠିକଣା ସର୍ବସମ୍ମୁଖକୁ ଆସିବା ପରେ ଅନେକ ଆତ୍ମହତ୍ୟାର ପନ୍ଥା ବାଛିନେବାର ନଜିର ରହିଛି। ତେଣୁ ଉକ୍ତ ଘଟଣାରେ ତଦନ୍ତକାରୀ ଅଧିକାରୀ କିପରି ଅବହେଳା ପ୍ରଦର୍ଶନ କଲେ। ଏ ନେଇ ପୋଲିସ କମିଶନରଙ୍କୁ ଚିଠି କରାଯିବା ସହ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।

Share