ଜୀବନରେ ପ୍ରାୟ ସମସ୍ତେ ଖୁସିରେ ରହିବାକୁ ଚାହିଁଥା’ନ୍ତି। ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। କାରଣ ଖୁସିର ସମ୍ବନ୍ଧ ସିଧା ହର୍ମୋନ ସହିତ ଜଡ଼ିତ। କିଛି ଏମିତି ଜିନିଷ ଅଛି ଯାହାକୁ ଖାଇଲେ ମନ ପ୍ରଫୁଲ୍ଲିତ ରହିବା ସହ ହର୍ମୋନ ବଢ଼ିବାରେ ସହାୟକ ହୋଇଥାଏ। ଆମେ ଖାଉଥିବା କିଛି ଖାଦ୍ୟରେ ସେରୋଟୋନିନ୍, ଡୋପାମାଇନ୍ ଏବଂ ଏଣ୍ଡ୍ରୋଫିନ୍ ହର୍ମୋନକୁ ବଢ଼ାଇଥାଏ। ତେଣୁ ଖୁସି ରହିବା ପାଇଁ ଡାର୍କ ଚକୋଲେଟ୍ ଖୁବ୍ ଭଲ ବୋଲି ଏକ ରିପୋର୍ଟରୁ ପ୍ରକାଶ।
ଚକୋଲେଟ୍ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି। ବିଶେଷକରି ଡାର୍କ ଚକୋଲେଟ୍ ବା କଫି ଚକୋଲେଟ୍ ଖାଇଲେ ମନ ଖୁସି ରହେ। କୁହାଯାଏ, ଡାର୍କ ଚକୋଲେଟ୍ରେ ଥିବା କଫିନ୍ ଆମକୁ ଖୁସି ରଖିବା ସହ ଆଳସ୍ୟପଣ ଦୂର କରିଥାଏ। ଫଳରେ କାମ କରିବାରେ ମନ ଲାଗିଥାଏ। ଡାର୍କ ଚକୋଲେଟ୍ରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ଯାହା ମନରେ ସ୍ଥିରତା ଆଣେ। ଖୁସିରେ ରହିବା ପାଇଁ ଡାର୍କ ଚକୋଲେଟ୍ ବେଶ୍ ଫଳପ୍ରଦ। କିନ୍ତୁ ପୂର୍ବରୁ ଯଦି କୌଣସି ରୋଗରେ ପୀଡ଼ିତ ଥା’ନ୍ତି ତେବେ ଏହା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହି ଅନୁସାରେ ଡାଏଟ୍ ଅନୁକରଣ କରିବା ଉଚିତ୍।