ଏହି ଅଭିନେତ୍ରୀଙ୍କୁ ଭେଟିବା ପାଇଁ ୫ଦିନ ଫୁଟ୍‌ପାଥରେ ଶୋଇଲେ ପ୍ରଶଂସକ

ଏମିତି କିଛି ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କର ପ୍ରିୟ ଅଭିନେତ୍ରୀଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥା’ନ୍ତି। ସେମିତି ଜଣେ ପ୍ରଶଂସକ ହେଉଛନ୍ତି ଭାସ୍କର। ଅଭିନେତ୍ରୀ ପୂଜା ହେଗ୍‌ଡ଼େଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସି ସେ ଫୁଟ୍‌ପାଥରେ ପାଞ୍ଚ ରାତି କଟାଇଥିଲେ। ପୂଜା ଏହା ଜାଣିବା ପରେ ତାଙ୍କୁ ଭେଟିବା ସହ ଏହାର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଧନ୍ୟବାଦ ଜଣାଇଛନ୍ତି। ଭାସ୍କର ପୂଜାଙ୍କ ପାଇଁ ଚକୋଲେଟ୍‌ ମଧ୍ୟ ଆଣିଥିଲେ। ପୂଜା ତାଙ୍କଠାରୁ ସମସ୍ତ କଥା ଶୁଣି ଭାବବିହ୍ବଳ ହୋଇଯାଇଥିଲେ। ପୂଜା ଇନ୍‌ଷ୍ଟାଗ୍ରାମରେ ଭିଡିଓ ଶେୟାର କରି ଲେଖିଛନ୍ତି, ଭାସ୍କର ମୋ’ ପାଇଁ ଏତେ କଷ୍ଟ କରି ମୁମ୍ବାଇ ଆସିଛନ୍ତି, ୫ ରାତି ଫୁଟ୍‌ପାଥରେ କଷ୍ଟରେ ଶୋଇଛନ୍ତି। ମୁଁ ଯେତିକି ଖୁସି ତା’ଠୁ ଅଧିକ ଦୁଃଖ କରୁଛି। କାରଣ ମୋ’ ପାଇଁ ସେ ଏତେ କଷ୍ଟ ସହିଲେ। ମୁଁ ସମସ୍ତ ପ୍ରଶଂସକଙ୍କ ନିକଟରେ ଋଣୀ। ମୋତେ ଏତେ ଭଲ ପାଉଥିବାରୁ ଧନ୍ୟବାଦ। ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ପୂଜା ଆପଣ ପ୍ରଶଂସକଙ୍କୁ ସମ୍ମାନ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ସମସ୍ତ ପ୍ରଶଂସକ ଆପଣଙ୍କୁ ଭେଟିବାକୁ ଚାହାନ୍ତି କିନ୍ତୁ ଭାସ୍କର ଆପଣଙ୍କ ପାଇଁ ପାଗଳ। ପୂଜାଙ୍କ ଫିଲ୍ମ କଥା ଯଦି କହିବା ତେବେ ସେ ‘ଅଲା ବୈକୁଣ୍ଠପୁରାମୁଲୁ’, ‘ହାଉସ୍‌ଫୁଲ୍‌-୪’ରେ ନଜର ଆସିଥିଲେ।

Share