ଏହି ଅଭିନେତ୍ରୀଙ୍କ ଜୋତା ଉଠାଇଥିଲେ ଅମିତାଭ ବଚ୍ଚନ

ଆଜି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୨ ମସିହା, ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ସେ। ୨ ଦଶନ୍ଦି ଧରି ମନୋରଞ୍ଜନର ଖୋରାକ ଯୋଗାଇଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍‌ ହିନ୍ଦୁସ୍ଥାନୀ’ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଅମିତାଭ ବଲିଉଡ ରେ ବହୁ ହିଟ ଚଳଚିତ୍ର ଦେଇସାରିଛନ୍ତି। ୭୭ ବୟସରେ ପଦାର୍ପଣ କରିବା ପରେ ମଧ୍ୟ ବିଗ ବି ଅଭିନୟ ଛାଡି ନାହାନ୍ତି। ଅମିତାଭଙ୍କ ଆଗାମୀ ଚଳଚିତ୍ର ‘ଗୁଲାବୋ ସିତାବୋ‘, ‘ଚେହେରେ‘ ଓ ବ୍ରହ୍ମାସ୍ତ୍ରରେ ନଜର ଆସିବେ। ଅମିତାଭ ବଚ୍ଚନ କେବଳ ଚଳଚ୍ଚିତ୍ର ଜଗତରେ ଲୋକପ୍ରିୟ ନୁହନ୍ତି ରିଏଲିଟି ସୋ କୋନ ବନେଗା କରୋଡପତିରେ ମଧ୍ୟ ବେଶ ଲୋକପ୍ରିୟ ହୋଇଛନ୍ତି। ଚଳିତବର୍ଷ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅଭିତାଭ। ମହିଳାମାନଙ୍କୁ ସେ ଖୁବ୍‌ ସମ୍ମାନ ଦେଇଥାନ୍ତି। ସେ ଲୋକପ୍ରିୟ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ତାଙ୍କର ଆଦର୍ଶ ବୋଲି ମାନିଥାନ୍ତି। ଏମିତିକି ସେ ଥରେ ତାଙ୍କ ଜୋତା ଉଠାଇଥିଲେ। ଅମିତାଭ ଥରେ କହିଥିଲେ, ପ୍ରଥମଥର ପାଇଁ ‘ରେଶମା ଔର ସେରା’ ଫିଲ୍ମରେ ମୋତେ ୱାହିଦା ରେହମାନଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଥିଲା। ସେହି ଫିଲ୍ମର ଗୋଟିଏ ସିନରେ ସୁନୀଲ ଦତ୍ତ ଓ ୱାହିଦାଙ୍କୁ ଖାଲି ପାଦରେ ମରୁଭୂମିର ବାଲିରେ ବସିବାର ଥିଲା। କିନ୍ତୁ ସେତେବେଳେ ସେଠାରେ ତାପମାତ୍ରା ଏତେ ଅଧିକ ଥିଲା ଯେ ଜୋତା ପିନ୍ଧି ବି ବାଲିରେ ଛିଡା ହେବା ଅସମ୍ଭବ ଥିଲା। ମୁଁ ଏହି କଥାକୁ ନେଇ ଚିନ୍ତିତ ହୋଇଯାଇ ଥିଲି। ୱାହିଦା ଏପରି ପରିସ୍ଥିତିରେ ବିନା ଜୋତାରେ କିପରି ସୁଟିଂ କରିବେ ବୋଲି ଭାବିଥିଲି। ସେଥିପାଇଁ ଡାଇରେକ୍ଟର ବ୍ରେକ ଦେବା ମାତ୍ରେ ସମୟ ନଷ୍ଟ ନ କରି ୱାହିଦାଙ୍କ ଜୋତା ଉଠାଇ ମୁଁ ସିଧା ସେଟ ପାଖକୁ ଦୌଡିଯାଉଥିଲେ। ସେହି ସମୟ ମୋ ପାଇଁ କେତେ ମୂଲ୍ୟବାନ ଥିଲା ତାହା ମୁଁ ପ୍ରକାଶ କରି ପାରିବି ନାହିଁ।’ ବିଗ ବି ଆହୁରି କହିଥିଲେ,ଦିଲ୍ଲୀପ କୁମାର ଓ ୱାହିଦା ରେହମାନ ମୋ ଜୀବନର ଆଦର୍ଶ। ଆଜି ପର୍ଯ୍ୟନ୍ତ ୱାହିଦା ରେହମାନ ମୋ ପାଇଁ ସବୁଠାରୁ ସୁନ୍ଦର ମହିଳା। ଭଲ ଅଭିନେତ୍ରୀ ସହିତ ସେ ଜଣେ ଭଲ ମଣିଷ ମଧ୍ୟ। ମୋ ପାଇଁ ୱାହିଦା ଜଣେ ଭାରତୀୟ ଆଦର୍ଶ ନାରୀର ଉଦାହରଣ। ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ତାଙ୍କର ଅତୁଳନୀୟ ଯୋଗଦାନ ରହିଛି, ଯାହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ୱାହିଦା ରେହମାନ ଓ ଅମିତାଭ ବଚ୍ଚନ ‘ତ୍ରିଶୁଲ’, ‘ଅଦାଲତ’ ଓ ‘ନମକ ହଲାଲ’ ପରି ଫିଲ୍ମରେ ଏକାଠି କାମ କରିଛନ୍ତି।

Share