Categories: ଫୁରସତ

ଏହି ଗାଁରେ କେହି କରନ୍ତି ନାହିଁ ନିଶାଦ୍ରବ୍ୟ ସେବନ

ହରିୟାଣାର ଶେଷ ମୁଣ୍ଡରେ ଅର୍ଥାତ୍‌ ରାଜସ୍ଥାନକୁ ଲାଗି ରହିଥିବା ଗାଁ ହେଉଛି ଟିକଲା। ଏହି ଗାଁରେ କେହି କେବେ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତି ନାହିଁ ବୋଲି କୁହାଯାଏ। ଏହି ଗାଁର ଲୋକ ସଂଖ୍ୟା ପ୍ରାୟ ୧୫ ଶହ ହୋଇଥିବା ବେଳେ ଏତେ ଛୋଟ ଗାଁରେ ରହି ମଧ୍ୟ କାହିଁ କେଉଁ ବର୍ଷରୁ ଏଠାରେ ଲୋକେ କୌଣସି ନିଶା ଦ୍ରବ୍ୟ ବ୍ୟବହାର କରୁ ନ ଥିବା ଦେଖିବାକୁ ମିଳେ। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଯଦି କେହି ବାହାର ବ୍ୟକ୍ତି କୌଣସି ନିଶାଦ୍ରବ୍ୟ ବ୍ୟବହାର କରୁଥାଆନ୍ତି ତେବେ ଏହି ଗାଁକୁ ଆସିଲେ ତାଙ୍କୁ ଏହା ଛାଡିବାକୁ ପଡିଥାଏ। ଏହା ବ୍ୟତୀତ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଗାଁରେ ପ୍ରବେଶ ପୂର୍ବରୁ ସେ ନିଶା ସେବନ କରୁଛନ୍ତି କି ନା ତାହା ପଚରା ଯାଇଥାଏ। ଏହାକୁ ନେଇ ଗାଁ ଲୋକେ ଖୁବ୍‌ ଖୁସି ଥିବା କୁହନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏଠାରେ ବାବା ଭଗବାନଦାସଙ୍କ ମନ୍ଦିର ରହିଛି। ଯେଉଁଠି ବାବାଙ୍କୁ ସମାଧି ଦିଆଯାଇଥିଲା। ବାବା ଭଗବାନଦାସ କେବେ କୌଣସି ନିଶାଦ୍ରବ୍ୟ ବ୍ୟବହାର କରୁ ନ ଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଏହାଠାରୁ ଦୂରେଇ ରହିବାକୁ କହୁଥିଲେ। ବାବା ଜୀବିତ ଥିବା ସମୟରେ ଅନେକ ଅଲୌକିକ ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କର ବାବାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରହିଛି। ଏହି ବିଶ୍ୱାସ ଯୋଗୁ ଟିକଲା ଗାଁର ଲୋକେ ଆଜିବି ସବୁ ପ୍ରକାର ନିଶା ଦ୍ରବ୍ୟଠାରୁ ଦୂରେଇ ରହିଛନ୍ତି ବୋଲି କୁହନ୍ତି।

Share