ବେଙ୍ଗାଲୁରୁ, ୨୦।୬: କର୍ନାଟକର ଟିପ୍ପୁର ଗ୍ରାମରେ ଦଳିତ ଶ୍ରେଣୀର ଲୋକେ ମନ୍ଦିର ଯିବା ତ ଦୂରର କଥା, ଚପଲ ପିନ୍ଧିବାକୁ ମଧ୍ୟ ଅନୁମତି ନାହିଁ। ଏଭଳି ଅମାନବୀୟ ବ୍ୟବହାର ପାଇଁ ଦଳିତମାନେ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି, ଦଳିତଙ୍କ ପ୍ରତି ଏଭଳି ଅଛୁଁଆ ଭେଦଭାବ ପ୍ରଶାସନ ଦେଖି ମଧ୍ୟ ଚୁପ୍ ରହୁଛି। ଏନେଇ ସେମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ବହୁ ବର୍ଷରୁ ଏଠାରେ ଅନୁସୂଚିତ ଜାତି, ଜନଜାତି ଏବଂ ଆଦିବାସୀଙ୍କୁ ଚପଲ ପିନ୍ଧିବାର ଅଧିକାର ଦିଆଯାଇ ନାହିଁ। ସେମାନେ କେଶ ମଧ୍ୟ ଗାଁ ଭିତରେ କାଟିପାରିବେ ନାହିଁ। ଏମାନେ ମନ୍ଦିର ମଧ୍ୟ ଯାଇପାରିବେ ନାହିଁ। କିଛିଦିନ ତଳେ ଦଳିତ ବେରୋଜଗାର ଯୁବକଙ୍କୁ ସରକାର ଏକ ସଉଦା ଦୋକାନ କରିବାକୁ ଅର୍ଥ ଯୋଗାଇ ଦେଇଥିଲେ। କିନ୍ତୁ ସାଧାରଣ ବର୍ଗର ଲୋକେ ଏହି ଦୋକାନକୁ ଆସୁନାହାନ୍ତି। ଦଳିତମାନେ କେସ୍ କଲେ କାଉଣ୍ଟର କେସ୍ କରାଯାଉଛି। ଫଳରେ ମାମଲାର ସମାଧାନ ହୋଇପାରୁନାହିଁ।