Categories: ଫୁରସତ

ଏହି ଦେଶରେ ପିଲାମାନଙ୍କ ଶୋଇବାରେ ଲାଗିଲା କଟକଣା

ଚାଇନାର ଝୋଜିୟାଙ୍ଗ୍‌ ଜିଲାରେ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ନିୟମ କେବଳ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଲାଗୁ ହେବ। ପିଲାମାନେ ହୋମଓ୍ବାର୍କ ଯେତିକି ନ କରିବେ ସେତିକି ଶୋଇବା ଜରୁରୀ ବୋଲି କଟକଣା ଜାରି ହୋଇଛି। ଏହି ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ ପିଲା ରାତି ୧୦ଟା ପୂର୍ବରୁ ଶୋଇବା ଅନିବାର୍ଯ୍ୟ। ଏହା ବ୍ୟତୀତ ଅଭିଭାବକମାନଙ୍କ ପାଇଁ ମଧ୍ୟ ଏକ ପ୍ରତିବନ୍ଧକ ଲଗାଯାଇଛି।

ସେମାନେ ଘରକୁ ଟିଉସନ୍‌ ଶିକ୍ଷକଙ୍କୁ ଡାକିବେ ନାହିଁ। ପ୍ରାଥମିକ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଶୋଇବା ସମୟ ରାତି ୯ଟା ରଖାଯାଇଛି। ପିଲାମାନେ ହୋମ୍‌ଓ୍ବାର୍କ ଶେଷ କରନ୍ତୁ ବା ନ କରନ୍ତୁ। ଘଣ୍ଟାରେ ୯ଟା ବାଜିବା କ୍ଷଣି ସେମାନେ ବିଛଣାକୁ ଯିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ର ରାତି ୧୦ଟା ପୂର୍ବରୁ ଶୋଇବା ବାଧ୍ୟତାମୂଳକ ରହିଛି। କିଛି ଅଭିଭାବକ ଏପରି ନିର୍ଦ୍ଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହି ନିର୍ଦ୍ଦେଶକୁ ସେମାନେ ‘ହୋମ୍‌ଓ୍ବାର୍କ କର୍ଫ୍ୟୁ’ ନାଁ ଦେଇଛନ୍ତି।

 


ଶିକ୍ଷା ବିଭାଗ ଦ୍ୱାରା ଏପରି ନିର୍ଦ୍ଦେଶ ଜାରି ହେବା ପରେ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ହୋମ୍‌ଓ୍ବାର୍କ ନ କଲେ ପିଲାମାନେ ପାଠପଢ଼ାରେ ପଛରେ ପଡ଼ିଯିବେ। ଯଦି ଛୋଟବେଳୁ ପିଲାମାନେ ପାଠପଢ଼ା ପ୍ରତି ଆଗ୍ରହ ପ୍ରକାଶ ନ କରିବେ ତେବେ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ। ଏପରିକି କିଛି ଅଭିଭାବକ ସୋସିଆଲ ମିଡିଆରେ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଉଠାଇ ନେବା ପାଇଁ ଅନୁରୋଧ କରିଛନ୍ତି।

Share