Categories: ଫୁରସତ

ଏହି ଦେଶରେ ମାର୍ଚ୍ଚ ୧ରୁ ବସ୍‌, ଟ୍ରେନ୍‌ ଯାତ୍ରା ମାଗଣା

ମହିଳାଙ୍କ ପାଇଁ ଦିଲ୍ଲୀରେ ବସଯାତ୍ରା ମାଗଣା ବୋଲି ସମସ୍ତଙ୍କୁ ଜଣା। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ମାର୍ଚ୍ଚ ୧ରୁ ଟ୍ରେନ୍‌ ଏବଂ ବସ୍‌ରେ ସମସ୍ତେ ମାଗଣାରେ ଯିବାଆସିବା କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ଦେଶ ବିଶ୍ୱରେ ପ୍ରଥମ ଥର ପାଇଁ ଏପରି ସୁବିଧା କରିବାକୁ ଯାଉଛି। ଏପରି ଦେଶ ହେଉଛି ୟୁରୋପର ଲଗ୍‌ଜମବର୍ଗ। ଏହା ଏକ ଛୋଟ ଦେଶ। ମାତ୍ର ସବୁଠୁ ଧନୀ ଦେଶ ଭାବରେ ପରିଗଣିତ। ୧ ମାର୍ଚ୍ଚ ୨୦୨୦ରୁ ଟ୍ରେନ୍‌, ଟ୍ରାମ୍‌ ଏବଂ ବସ୍‌ରେ ଯିବାଆସିବା କରିବା ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ଦେଶର ସମସ୍ତ ନାଗରିକଙ୍କ ପାଇଁ ପରିବହନ ମନ୍ତ୍ରୀ ଏପରି ମାଗଣା ସୁବିଧା କରିଛନ୍ତି। ଖାଲି ଦେଶର ନାଗରିକଙ୍କ ପାଇଁ ନୁହେଁ, ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ମଧ୍ୟ ଏପରି ସୁବିଧା ରଖାଯାଇଛି। ୨୦୧୮ ବର୍ଷ ଶେଷରେ ଜେବିୟର ବେଟଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଏହି କଥା କହିଥିଲେ।


ଏକ ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ଲଗ୍‌ଜମବର୍ଗର ପ୍ରାୟ ୬ ଲକ୍ଷ ଲୋକ ଉପକୃତ ହେବା ସହ ଏଠାକୁ ବର୍ଷକୁ ଆସୁଥିବା ୧୨ ଲକ୍ଷ ଲୋକ ମଧ୍ୟ ଉପକୃତ ହେବେ। ଏପରି ମାଗଣା ସେବା ଯୋଗାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭିଡ଼ କମାଇବା ସହ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ।

ଏଠକାର ପ୍ରାୟ ୬୦ ପ୍ରତିଶତ ଲୋକ ନିଜ ଗାଡ଼ିମୋଟରରେ ଯିବା ଆସିବା କରିଥାନ୍ତି। ୧୯ ପ୍ରତିଶତ ଲୋକ ସାର୍ବଜନୀନ ଗାଡ଼ିମୋଟରରେ ଯିବା ଆସିବା କରନ୍ତି। ଦୁଇ ଘଣ୍ଟାରେ ପ୍ରାୟ ୧୫୫ ଟଙ୍କା ଖର୍ଚ୍ଚ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ଏଠାକାର ପରିବହନ ବିଭାଗ ଏପରି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ସ୍ବାଗତଯୋଗ୍ୟ।

Share