ଏହି ବଲିଉଡ୍‌ ମୁଭିର ସେଟ୍‌ ତିଆରି କରିବାକୁ ଲାଗିଥିଲା ୩ ମାସ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ଷ୍ଟାରକାଷ୍ଟରେ ନିର୍ମାଣ ହେଉଥିବା ଫିଲ୍ମ ‘ବାଗି ୩’ ଘୋଷଣା ହେବା ଦିନରୁ ହିଁ ଅଛି ଚର୍ଚ୍ଚାରେ। ଏହାର ଗୀତ ହେଉ ଅବା ଟ୍ରେଲର ପୁଣି ଶୁଟିଂ ସେଟ୍‌ର ଫଟୋ ସବୁକିଛି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅହମଦ ଖାଁଙ୍କ ନିର୍ଦ୍ଦେଶିତ ଓ ସାଜିଦ ନାଡିୟାଡଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଶ୍ରଦ୍ଧା କପୁର, ଅଙ୍କିତା ଲୋଖଣ୍ଡେ ଓ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାର ବିଶେଷତ୍ୱ ହେଉଛି ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବାଗି’ପରେ ଶ୍ରଦ୍ଧା କପୁର ଦ୍ୱିତୀୟ ଥର ଲାଗି ଟାଇଗରଙ୍କ ସହ ସ୍କ୍ରିନ୍‌ ଶେୟାର କରୁଛନ୍ତି। ଏହି ଫିଲ୍ମରେ ସିରିଆର ଏକ ଧ୍ୱଂସ ସହରକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେଣୁ ସିରିଆରେ ଯାଇ ଶୁଟିଂ କରିବା ସମ୍ଭବ ନ ଥିବାରୁ ଏଭଳି ଏକ ସେଟ୍‌ ତିଆରି କରିବାର ଥିଲା। ତେଣୁ ଏହାକୁ ତିଆରି କରିବାକୁ ପାଖାପାଖି ୩ ମାସ ସମୟ ଲାଗିଥିଲା ବୋଲି କୁହନ୍ତି ଫିଲ୍ମର ଅନ୍ୟତମ କଳାକାର ରିତେଶ ଦେଶମୁଖ। ଆଉ ଏହି ସେଟ୍‌ ତିଆରି ହେବା ପରେ ଶୁଟିଂ କରିବା ବେଳେ ସମ୍ପୂର୍ଣ୍ଣ ଭାବେ ସିରିଆର ଅନୁଭୂତି ମିଳଥିବା କୁହନ୍ତି ରିତେଶ। ଉକ୍ତ ସେଟ୍‌ରେ ଏକ ବିଶେଷ ଆକ୍ସନ ସିକୁଏନ୍ସ ଶୁଟ୍‌ କରାଯାଇଛି। ସବୁଠାରୁ ବଡ କଥା ହେଲା ଶୁଟିଂ ସମୟରେ ଅସଲ ବିସ୍ଫୋରକ ବ୍ୟବହାର କରାଯାଇଥିଲା ଓ ଏହାପରେ ସେଟଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଫିଲ୍ମଟି ଆକ୍ସନ ଓ ମନୋରଞ୍ଜନରେ ଭରପୂର ହୋଇଥିବା ବେଳେ ଏଥିପାଇଁ ବିଦେଶୀ ଆକ୍ସନ କୋରିଓଗ୍ରାଫର ଟିମ୍‌ ଆସିଥିଲେ। ଏହାସହ ଟାଇଗରଙ୍କ ଷ୍ଟଣ୍ଟ ଫିଲ୍ମକୁ ଆହୁରି ସୁନ୍ଦର କରିପାରିଛି ବୋଲି କହିଛନ୍ତି ରିତେଶ। ଏହା ମାର୍ଚ୍ଚ ପ୍ରଥମ ସପ୍ତାହରେ ରିଲିଜ୍‌ ହେବାର ଯୋଜନା ରହିଛି।

Share