ଏହି ବ୍ଲଡ ଗ୍ରୁପର ଲୋକଙ୍କୁ କରୋନା ଭୟ ଅଧିକ: ନିଶ୍ୱାସ ନେବାରେ ହୋଇଥାଏ ଅସୁବିଧା !

ନୂଆଦିଲ୍ଲୀ,୫।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ବିଶ୍ୱରେ ୬୬ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଆଉ ଏହି ମହାମାରୀରେ ଏବେସୁଦ୍ଧା ସାରା ବିଶ୍ୱରେ ୩ ଲକ୍ଷ ୮୯ହଜାରରୁ ଅଧିକ ଲୋକଙ୍କର ଜୀବନ ମଧ୍ୟ ଗଲାଣି। ତେବେ କରୋନା ସଂକ୍ରମିତଙ୍କ ନିକଟରେ ବିଶେଷ ଭାବେ ନିଶ୍ୱାସ ନେବାରେ କଷ୍ଟ ଅନୁଭୟ ହୋଇଥାଏ ବୋଲି ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ନ୍ୟୁଜ ମେଡିକାଲ ଲାଇଫ୍‌ ସାଇନ୍ସ ଓ୍ବେବସାଇଟର ସୂଚନା ଅନୁଯାୟୀ, ଇଟାଲୀ ଓ ସ୍ପେନର ହଟ୍‌ସ୍ପଟ୍‌ ଅଞ୍ଚଳରୁ ପାଖାପାଖି ୧,୬୦୦କରୋନା ସଂକ୍ରମିତଙ୍କ ଉପରେ ଯେଉଁ ଅଧ୍ୟୟନ କରାଯାଇଛି ସେଥିରୁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନରୁ ଜଣାପଡିଛି କି ‘ଏ’ ପଜିଟିଭ ବ୍ଲଡ ଗ୍ରୁପର ଲୋକେ କରୋନାରେ ପୀଡ଼ିତ ହେଲେ ସେମାନେ ଅନ୍ୟମାନଙ୍କ ଅପେକ୍ଷା ନିଶ୍ୱାସ ନେବାରେ ଅଧିକ କଷ୍ଟ ଅନୁଭବ କରିଥାଆନ୍ତି। ହେଲେ ‘ଓ’ ପଜିଟିଭ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଅସୁବିଧା କମ୍‌ ହୋଇଥାଏ ବୋଲି ବିଶେଷଜ୍ଞମାନେ ଅଧ୍ୟୟନରୁ ଜାଣି ପାରିଛନ୍ତି। ଯେଉଁମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା ସେମାନଙ୍କର ନିଶ୍ୱାସ ନେବାରେ କଷ୍ଟ ହେଉଥିଲା। ଗବେଷକମାନେ ପାଖାପାଖି ୨,୨୦୫ ବ୍ଲଡ ସାମ୍ପୁଲକୁ ନେଇ ବିଶ୍ଳେଷଣ କରିଥିଲେ। ଏହାପୂର୍ବରୁ ଚାଇନାର ଉହାନ ଓ ସେନଝୋନରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ୨,୧୭୩ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରେ ‘ଏ’ ବ୍ଲଡ ଗ୍ରୁପ ଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିଲା। ହେଲେ ‘ଓ’ ବ୍ଲଡ ଗ୍ରୁପ ଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ସମ୍ଭାବନା କମ୍‌ ଥାଏ ବୋଲି ଜଣାପଡିଥିଲା।

Share