ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ଭାରତରେ ଏଭଳି ବହୁ ମନ୍ଦିର ରହିଛି, ଯାହା ନିଜ ସ୍ବତନ୍ତ୍ରତା ପାଇଁ ପରିଚିତ। ଏଭଳି ଏକ ନିଆରା ମନ୍ଦିର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମ ସହରର ମାଣକରେ। ସାଧାରଣତଃ ମନ୍ଦିରମାନଙ୍କରେ ଭକ୍ତଙ୍କୁ ପ୍ରସାଦରେ ଲଡୁ, ମିଠା ବା ଅନ୍ନ ଦିଆଯାଇଥାଏ। ହେଲେ ମା’ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ଏକ ବିଶେଷତଃ ରହିଛି, ଏଠାରେ ଭକ୍ତମାନଙ୍କୁ ପ୍ରସାଦ ଆକାରରେ ଅଳଙ୍କାର ଦିଆଯାଇଥାଏ। ଏଠାରେ ଆସୁଥିବା ଶ୍ରଦ୍ଧାଳୁମାନେ ଘରକୁ ଯିବା ସମୟରେ ସାଙ୍ଗରେ ସୁନା ରୁପାର ଗହଣା ନେଇଥାନ୍ତି। ମା’ ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ବର୍ଷ ସାରା ଭକ୍ତଙ୍କ ଭିଡ଼ ଜମିଥାଏ। ଏଠାରେ ଭକ୍ତମାନେ ମା’ଙ୍କ ପାଦରେ କୋଟି କୋଟି ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚଢ଼ାଇଥାନ୍ତି। ମନ୍ଦିରରେ ଅଳଙ୍କାର ଚଢ଼ାଇବା ପରମ୍ପରା କେଉଁ କାଳରୁ ଚାଲିଆସିଛି। ପ୍ରଥମେ ରାଜା ରାଜ୍ୟର ସମୃଦ୍ଧି ପାଇଁ ମନ୍ଦିରରେ ଧନ ଚଢ଼ାଉଥିବା ବେଳେ ଏବେ ଭକ୍ତମାନେ ଅଳଙ୍କାର ଓ ଟଙ୍କା ଚଢ଼ାଉଥିବା ଦେଖିବାକୁ ମିଳୁଛି। ଏଭଳି କଲେ ସୋମନଙ୍କ ଘରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଦୀପାବଳି ଅବସରରେ ଏହି ମନ୍ଦିରରେ ଧନତେରାସରୁ ୫ ଦିନ ପର୍ଯ୍ୟନ୍ତ ଦୀପଉତ୍ସବର ଆୟୋଜନ କରାଯାଇଥାଏ। ଏହି ସମୟରେ ମନ୍ଦିରରେ ସାଜସଜ୍ଜା ଫୁଲରୁ ନୁହେଁ ବରଂ ଚଢ଼ାଯାଇଥିବା ଅଳଙ୍କାର ଓ ଟଙ୍କାରେ କରାଯାଇଥାଏ। ଦୀପୋତ୍ସବ ସମୟରେ ମନ୍ଦିରରେ କୁବେରର ଦ୍ୱାରା ଖୋଲାଯାଉଥିବା ବେଳେ ଦୀପାବଳୀ ଦିନ ଏହି ମନ୍ଦିରର କବାଟ ୨୪ ଘଣ୍ଟା ଖୋଲା ରହିଥାଏ। କୁହାଯାଏ, ଧନତେରାସରେ ଏଠାରେ ଆସୁଥିବା ମହିଳା ଭକ୍ତଙ୍କୁ କୁବେରଙ୍କ ଗଣ୍ଠିଲି ଦିଆଯାଇଥାଏ। କାରଣ ଏଠାକୁ ଆସୁଥିବା ଭକ୍ତ ଖାଲି ହାତରେ ଫେରେ ନାହିଁ। ତାଙ୍କୁ କିଛି ନା କିଛି ପ୍ରସାଦ ସ୍ବରୂପରେ ଗହଣା ଓ ଟଙ୍କା ଦିଆଯାଇଥାଏ।

Share