Categories: ଜାତୀୟ

ଏହି ହୋଟେଲରେ ରାତ୍ରୀ ଯାପନ କରିବେ ଟ୍ରମ୍ପ

ନୂଆଦିଲ୍ଳୀ,୨୪।୨: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଟ୍ରମ୍ପ ନିଜ ପରିବାରଙ୍କ ସହ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ସେ ‘ ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଟ୍ରମ୍ପ ଆଜି ରାତ୍ରୀ ଯାପନ ଦିଲ୍ଲୀରେ କରିବେ ବୋଲି ସୂଚନା ମିଳିଛି।

ଦିଲ୍ଲୀ ଚାଣକ୍ୟପୁରୀର ଆଇଟିସି ମୋର୍ଯ୍ୟା ହୋଟେଲରେ ଥିବା ଗ୍ରାଣ୍ଡ ପ୍ରେସିଡେନ୍ସିଆଲ ସୁଇଟ୍‌ (ଚାଣକ୍ୟ ସୁଇଟ)ରେ ଟ୍ରମ୍ପ ଓ ତାଙ୍କ ପରିବାର ରହିବେ। ଏଥିପାଇଁ ହୋଟେଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ବିଳାସମୟ ହୋଟେଲର ୧୪ମହଲାରେ ଚାଣକ୍ୟ ସୁଇଟ୍‌ ରହିଛି। ଏଠାରେ ଗୋଟିଏ ରାତି କଟାଇବାକୁ ଦେବାକୁ ପଡ଼ିଥାଏ ପ୍ରାୟ ୮ଲକ୍ଷ ଟଙ୍କା। ତେବେ ଚାଣକ୍ୟ ସୁଇଟ୍‌ରେ ରାତି କଟାଇଥିବା ରାଷ୍ଟ୍ରପତିଙ୍କ ମଧ୍ୟରୁ ଟ୍ରମ୍ପ ହେବେ ଆମେରିକାର ୪ର୍ଥ ରାଷ୍ଟ୍ରପତି। ଏହା ପୂର୍ବରୁ ବିଲ୍‌ କ୍ଲିଣ୍ଟନ୍‌, ଜର୍ଜ ଡବ୍ଲୁ ବୁଶ୍‌ ଓ ବରାକ ଅବାମା ଏହି ହୋଟେଲରେ ରହିସାରିଛନ୍ତି।

ଏହି ହୋଟେଲରେ ବହୁ ସୁନ୍ଦର ସାଜସଜ୍ଜା କରାଯାଇଥିବା ବେଳେ ଏଥିରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରିହିଛି। ସେହିପରି ହୋଟେଲର ବୁଖାରା ରେଷ୍ଟୁରାଣ୍ଟରେ ଟ୍ରମ୍ପ ଭୋଜନ କରିବେ ବୋଲି ଜଣାପଡ଼ିଛି। ସେ ପହଞ୍ଚିବା ପରେ ତାଙ୍କ ପାଇଁ ସ୍ବତନ୍ତ୍ର ଶେଫ୍‌ ନିୟୋଜିତ ହେବେ। ଏହାପରେ ଉକ୍ତ ଶେଫ ତାଙ୍କ ପାଇଁ ମିଠାରେ ପ୍ରଥମେ ଡାୟଟ କୋକ ଓ ଚେରୀ ଭାନିଲା ଆଇସ୍‌କ୍ରିମ୍‌ ତିଆରି କରିବେ। କାରଣ ଟ୍ରମ୍ପଙ୍କର ଏହା ବେଶ୍‌ ପସନ୍ଦ।

Share