Categories: ବାଣିଜ୍ୟ

ଏୟାରପୋର୍ଟ, ସପିଙ୍ଗ୍‌ ମଲ୍‌ରେ ମିଳିବ କୁଲ୍ଲଡ ଚା’

ନୂଆଦିଲ୍ଲୀ,୨୬-୮: ଦେଶର ପ୍ରମୁଖ ରେଳ ଷ୍ଟେଶନ, ବସ୍‌ ଡିପୋ, ଏୟାରପୋର୍ଟ ଓ ସପିଙ୍ଗ୍‌ ମଲ୍‌ରେ ଖୁବଶୀଘ୍ର କୁଲ୍ଲଡରେ ଚା’ ପିଇବାର ମଜା ନେଇ ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏ ସଂକ୍ରାନ୍ତରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି। ବର୍ତ୍ତମାନ କେବଳ ବାରାଣସୀ ଓ ରାୟବରେଲି ଷ୍ଟେଶନ ମଧ୍ୟରେ ମାଟିରେ ତିଆରି କୁଲ୍ଲଡରେ ଚା’ବିକ୍ରି ହେଉଛି।
ଦେଶର ୧୦୦ ରେଳ ଷ୍ଟେଶନରେ କୁଲ୍ଲଡରେ ଚା’ ବିକ୍ରି କରିବାକୁ ବାଧ୍ୟତାମୂଳକ କରିବାକୁ ସେ ଗୋୟଲଙ୍କୁ କହିଥିବା ଗଡ଼କରୀ କହିଛନ୍ତି। ଏଥିସହିତ ଏୟାରପୋର୍ଟ ଓ ବସ୍‌ ଡିପୋ ଆଖପାଖ ଅଞ୍ଚଳରେ ମାଟି ପାତ୍ରରେ ଚା’ ବିକ୍ରିକୁ ବାଧ୍ୟତାମୂଳକ କରାଯିବ। ସେହିପରି ସପିଙ୍ଗ୍‌ ମଲ୍‌ରେ କୁଲ୍ଲଡ ବ୍ୟବହାର ପାଇଁ ସରକାରଙ୍କ ପକ୍ଷରୁ ଉତ୍ସାହିତ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ କୁମ୍ଭାରଙ୍କୁ ବଡ଼ ବଜାର ମିଳିଯିବ ଏବଂ ସେମାନଙ୍କୁ ରୋଜଗାର ମିଳିବ। ଏହାଦ୍ୱାରା ପ୍ଲାଷ୍ଟିକ ଓ କାଗଜ କପ୍‌ ଓ ଗ୍ଲାସ୍‌ରେ ଚା’ବିକ୍ରି ବନ୍ଦ ହୋଇଯିବ ଏବଂ ପରିବେଶ ପ୍ରଦୂଷଣଜନିତ କ୍ଷତିକୁ ଅନେକାଂଶରେ କମାଯାଇପାରିବ ବୋଲି ଗଡ଼କରୀ ଯୁକ୍ତି ଦର୍ଶାଇଛନ୍ତି। ଚାହିଦା ବୃଦ୍ଧି କାରଣରୁ ବ୍ୟାପକ ହାରରେ କୁଲ୍ଲଡ ଉତ୍ପାଦନ ଲାଗି ଆବଶ୍ୟକ ଉପକରଣ ଯୋଗାଇବାକୁ ସେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆୟୋଗ ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା କହିଛନ୍ତି ଯେ, କୁଲ୍ଲଡ ତିଆରି କରିବା ଲାଗି ଆୟୋଗ ପକ୍ଷରୁ ଗତବର୍ଷ ୧୦ ହଜାର ଇଲେକ୍ଟ୍ରିକ ଚକ କୁମ୍ଭାରଙ୍କୁ ପ୍ରଦାନ କରାଯାଇଛି। ଚଳିତବର୍ଷ ୨୫ ହଜାର ଚକ ବଣ୍ଟାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ସରକାର କୁମ୍ଭାର ସଶକ୍ତିକରଣ ଯୋଜନା ଅଧୀନରେ କୁମ୍ଭାରଙ୍କୁ ଇଲେକ୍ଟ୍ରିକ ଚକ୍‌ ବାଣ୍ଟୁଛନ୍ତି।

Share