Categories: ବାଣିଜ୍ୟ

ଏୟାର ଇଣ୍ଡିଆରେ ଅର୍ଥ ସଙ୍କଟ; ତେଲ ନ ଦେବାକୁ ତୈଳ କମ୍ପାନୀଙ୍କ ଧମକ

ନୂଆଦିଲ୍ଲୀ,୧-୯: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଅର୍ଥ ସଙ୍କଟ ଅତ୍ୟନ୍ତ ଗମ୍ଭୀର ହୋଇଛି। ବିମାନ ଇନ୍ଧନ ବାବଦରେ କମ୍ପାନୀ ତୈଳ ମାର୍କେଟିଂ କମ୍ପାନୀ(ଓଏମ୍‌ସି)ଙ୍କୁ ବକେୟା ବାବଦରେ ଅର୍ଥ ଦେଇ ପାରୁନାହାନ୍ତି। ଏହି କାରଣରୁ ସେମାନେ ସେପ୍ଟେମ୍ବର ୬ରୁ ଆହୁରି ଦୁଇଟି ଏୟାରପୋର୍ଟ ରାୟପୁର ଓ ହାଇଦ୍ରାବାଦ୍‌ରେ ଏୟାର ଇଣ୍ଡିଆ ଗ୍ରୁପ୍‌ର ବିମାନକୁ ଇନ୍ଧନ ଯୋଗାଇବେ ନାହିଁ ବୋଲି ଧମକ ଦେଇଛନ୍ତି। ଏ ସଂକ୍ରାନ୍ତରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ଏୟାର ଇଣ୍ଡିଆକୁ ପତ୍ର ଲେଖାଯାଇଛି। ସୂଚନାଥାଉ କି, ତୈଳ କମ୍ପାନୀଗୁଡ଼ିକ ଇତିମଧ୍ୟରେ ୬ ଏୟାରପୋର୍ଟ ପାଟନା, ରାଞ୍ଚତ୍, ପୁନେ, ମୋହାଲି, ଭାଇଜାଗ ଏବଂ କୋଚିରେ ଏୟାର ଇଣ୍ଡିଆ ବିମାନକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଇଛି। ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କମ୍ପାନୀ ବିମାନ ଇନ୍ଧନ ବାବଦରେ ତୈଳ କମ୍ପାନୀଗୁଡ଼ିକୁ ଦୈନିକ ୧୮ କୋଟି ଟଙ୍କା ପ୍ରଦାନ କରୁଛି। କମ୍ପାନୀ ଉପରେ ଜୁଲାଇ ୩୧ ସୁଦ୍ଧା ତୈଳ କମ୍ପାନୀଙ୍କ ୪୬୦୦ କୋଟି ଟଙ୍କା ବକେୟା ରହିଥିବା ବେଳେ ଅଗଷ୍ଟ ୩୧ ସୁଦ୍ଧା ଏହା ୪୩୦୦ କୋଟି ଟଙ୍କାକୁ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସୂଚନାଥାଉ କି, ସରକାର ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିଦେବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏହି କାରଣରୁ ଏହାକୁ କୌଣସି ଇକ୍ୟୁଟି ଜାରି କରାଯାଇନାହିଁ। ତେବେ ସରକାର ଏୟାର ଇଣ୍ଡିଆର ୨୯ ହଜାର କୋଟି ଟଙ୍କା ବକେୟା ଋଣ ବୋଝକୁ ନିଜ ମୁଣ୍ଡକୁ ନେଇଛନ୍ତି।

Share