ସହଦେବ ସାହୁ
ଖବର ବା ଇନ୍ଫର୍ମେଶନକୁ ଯୁଦ୍ଧର ଅସ୍ତ୍ର ରୂପେ ବ୍ୟବହାର କରାଗଲାଣି ଏବଂ ଏମିତି ବ୍ୟବହାର ହେଲାଣି ଯେ ଲୋକଙ୍କ ମତ ବଦଳାଯାଇ ପାରୁଛି। ଆମେ ଜାଣିଥିଲୁ ଗ୍ରାହକର ମତ ବଦଳାଇବା ଏବଂ ନିଜ ସାମଗ୍ରୀ ପ୍ରତି ଆଗ୍ରହ ବଢ଼ାଇବା ପାଇଁ କମ୍ପାନୀମାନେ ବିଜ୍ଞାପନ ଜାରିକରନ୍ତି ଏବଂ ଦୃଶ୍ୟଶ୍ରାବ୍ୟ ମିଡିଆରେ ଜଣାଶୁଣା ଲୋକଙ୍କ ମୁହଁରେ କୁହାଇ ସେମାନଙ୍କ ସାମଗ୍ରୀର ବିକ୍ରି ବଢ଼ାନ୍ତି। ସୂଚନା (ଇନ୍ଫର୍ମେଶନ୍) ବା ଖବର (ନ୍ୟୁଜ୍) ଦେବା ଆଳରେ ମିଡିଆ ଯାହା ଲୋକଙ୍କୁ ଦେଖାନ୍ତି ବା ଶୁଣାନ୍ତି ତାହା ଭିତରେ ମିଛ ଓ ମନଗଢ଼ା ଖବର ଦେବା ସମ୍ଭବ। ଏ ପ୍ରଚେଷ୍ଟା ପ୍ରବଳ ବେଗରେ ବଢୁଛି।
ଏବେ ତିନି ସପ୍ତାହ ହେଲା ଚାଲୁଥିବା ହଂକଂର ପ୍ରତିବାଦ ଅଭିଯାନ ସମ୍ପର୍କରେ ମନଗଢ଼ା ଖବର ଚାଇନା ପ୍ରଚାର କରୁଛି, କହିବାରେ ଲାଗିଛି ଯେ ପ୍ରତିବାଦକାରୀମାନେ ପାଶ୍ଚାତ୍ୟ ଦେଶ ଓ ହିଂସାବାଦୀମାନଙ୍କ ଏଜେଣ୍ଟ ଭାବେ କାମ କରୁଛନ୍ତି। ହଂକଂର ଲୋକଙ୍କ ସ୍ବାଧୀନତା ପ୍ରତି ଏହା ଏକ ବିପଦ ବୋଲି ଚାଇନା ସୋସିଆଲ ମିଡିଆରେ କହୁଛି। କେହି କେଉଁଠି ପଡି ଖଣ୍ଡିଆଖାବରା ହେଲେ ତାହା ପ୍ରତିବାଦକୁ ଉସୁକାଉଥିବା ବିଦେଶୀଙ୍କ ଯୋଗୁ ହୋଇଛି ବୋଲି ପ୍ରଚାର କରୁଛି। ପ୍ରାୟ ପାଖାପାଖି ଦୁଇଲକ୍ଷ ଆକାଉଣ୍ଟ ଜରିଆରେ ଚାଇନା ଏଭଳି ମନଗଢ଼ା ଖବର ପ୍ରକାଶ କରୁଛି। ଯେତେବେଳେ ୧୯୯୭ରେ ବ୍ରିଟିଶ୍ ଶାସନରୁ ଚାଇନାକୁ ହଂକଂର କଣ୍ଟ୍ରୋଲ ଗଲା, ସର୍ତ୍ତ ଥିଲା ୨୦୪୭ ପର୍ଯ୍ୟନ୍ତ ହଂକଂରେ ଦ୍ୱୈତ ବ୍ୟବସ୍ଥା ଚାଲିବ; ଚାଇନା ଅଧୀନରେ ଥିଲେ ବି ସ୍ବାୟତ୍ତଶାସନ ରହିବ। ବେଜିଂରେ କେହି ସରକାର ବିରୋଧରେ କହିପାରିବେ ନାହିଁ କିମ୍ବା ଗଣତନ୍ତ୍ର କଥା ଉଠାଇପାରିବେ ନାହଁ କିନ୍ତୁ ହଂକଂରେ କରିପାରିବେ। ହଂକଂର ଏ ପ୍ରକାର ଗଣତନ୍ତ୍ର (କ୍ୱାସାଇ ଡେମୋକ୍ରାସି) କାଳେ ବ୍ୟାପିବ ତାହା ବେଜିଂକୁ ଡରାଉଛି। ଏ ବର୍ଷ ଚାଇନା ଚାହିଁଲା ହଂକଂ ଏକ ପ୍ରତ୍ୟର୍ପଣ ଚୁକ୍ତି କରୁ, ଉଦ୍ଦେଶ୍ୟ ଚାଇନା-ହଂକଂ ମିଶ୍ରଣକୁ ବିରୋଧ କରୁଥିବା ବା ଚାଇନାରେ ଗଣତନ୍ତ୍ର ନାହିଁ ବୋଲି କହୁଥିବା ନେତାଙ୍କୁ ବିଭିନ୍ନ ଅପରାଧ ଦ୍ୱାହିରେ ଚାଇନାକୁ ନେଇ ଛେଚିପାରିବ। ହଂକଂବାସୀଙ୍କ ନାଗରିକ ଅଧିକାର ଉପରେ ଚାଇନା ନିଜ କଣ୍ଟ୍ରୋଲ ଦୃଢ଼ କରୁଛି ବୋଲି ଲୋକେ ବିଲ୍ ବିରୋଧରେ ପ୍ରତିବାଦ କଲେ। ଏ ପ୍ରତିବାଦ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚାଇନା ସୂଚନାବିଦ୍ୟାକୁ ଅସ୍ତ୍ର ରୂପେ ବ୍ୟବହାର କରୁଛି।
ପାକିସ୍ତାନ ତା’ର ନାଗରିକ ଓ ପ୍ରବାସୀ ପାକିସ୍ତାନୀମାନଙ୍କ ଜରିଆରେ କଶ୍ମୀରର ୩୭୦ ଧାରା ଉଚ୍ଛେଦକୁ ଏକ ଅନ୍ତର୍ଜାତୀୟ ତଥା ମାନବିକ-ଅଧିକାର ଉଲ୍ଲଂଘନ ସମସ୍ୟା ରୂପେ ସୋସିଆଲ୍ ମିଡିଆରେ କହିଚାଲିଛି। ୨୦୧୯ର ଲୋକ ସଭା ପୂର୍ବରୁ ମୋଦିଙ୍କ ଉପରେ ବହୁତ ଅପପ୍ରଚାର ଚଳାଇଥିଲା। ମିଛ ଖବରର ଉତ୍ସରୂପେ କାମ କରୁଥିବା ଗୁଡାଏ ପିଆର୍ (ପବ୍ଲିକ୍ ରିଲେସନ୍ସ) କମ୍ପାନୀ ଏବଂ ଲବି କରୁଥିବା ପେସାଦାର କମ୍ପାନୀଙ୍କୁ ପାକିସ୍ତାନ ସରକାର ତଥା ପ୍ରବାସୀ ପାକିସ୍ତାନୀମାନେ ପଇସାପତ୍ର ଦେଇ ଏ କାମରେ ଲଗାଇଉଛନ୍ତି। ସୂଚନାକୁ ଯୁଦ୍ଧାସ୍ତ୍ରରୂପେ ବ୍ୟବହାର କରିବାର ଏ ହେଲା ପ୍ରଥମ ପଦକ୍ଷେପ। ପରବର୍ତ୍ତୀ ସ୍ତର ହେଉଛି- କିପରି ଭାବରେ ସୂଚନାଗୁଡିକ ଲୋକମତକୁ ପ୍ରଭାବିତ କରିପାରିବ ତା’ ଉପରେ ନିୟନ୍ତ୍ରଣ ଜାହିର କରିବା। ଅର୍ଥାତ୍ ଜନମତକୁ ହାତେଇବା। ଏବେ କଶ୍ମୀରରେ ଯୋଗାଯୋଗ ବନ୍ଦ କରିବା ଏକ କମ୍ୟୁନିକେଶନ ବ୍ଲାକ୍ଆଉଟ ନ କହି ‘ଲୋକଙ୍କ ବାକ୍ ସ୍ବାଧୀନତାକୁ ମୋଦି ସରକାର ଦଳିଦେଉଛନ୍ତି’ ବୋଲି ପ୍ରଚାର ହେଉଛି। ଏମିତି ବ୍ଲାକ୍ଆଉଟ ଆଫ୍ରିକାରେ ଏକ ସାଧାରଣ କଥା। ୨୦୧୬ରୁ ୨୦୧୮ ଭିତରେ ବିଶ୍ୱରେ ଇଣ୍ଟର୍ନେଟ-ବନ୍ଦ ବ୍ୟବସ୍ଥା ଦୁଇଗୁଣ ହୋଇଯାଇଛି। ହଂକଂରେ ପ୍ରତିବାଦକାରୀଙ୍କ ପ୍ରତିବାଦର ଅଗ୍ରଗତି ବିଷୟରେ ଜଣାଇବାର ଇଣ୍ଟରନେଟ୍ ପ୍ରୋଗ୍ରାମ ‘ଟେଲିଗ୍ରାମ୍’କୁ ଚାଇନା ସରକାର କେବଳ ବନ୍ଦ କରିନାହାନ୍ତି ତାକୁ କଣ୍ଟ୍ରୋଲ କରିନେଇଛନ୍ତି, ତାହା ଜରିଆରେ ମନଗଢା ଖବର ବିତରଣ କରିବାରେ ଲାଗିପଡିଛନ୍ତି। ତେଣୁ ଚାଇନା ଅଧିବାସୀମାନେ ଟେଲିଗ୍ରାମ୍ ଜରିଆରେ ହଂକଂ ଲୋକଙ୍କର ପ୍ରତିବାଦ ସ୍ବର ଜାଣୁନାହାନ୍ତି, ବରଂ ତା’ ବିରୋଧରେ ଖବର ପାଉଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ଏବଂ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଲୋକେ ଏ ପ୍ରତିବାଦ ଶୋଭାଯାତ୍ରାକୁ ଉସୁକାଉଛନ୍ତି।
ଏବେ ସମସ୍ତେ ଜାଣନ୍ତି- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଦେଶିକ ନୀତି ଘୋଷଣା ନଥିପତ୍ରରେ ଉଲ୍ଲେଖ କରିବା ପରିବର୍ତ୍ତେ ଟୁଇଟର୍ରେ ଜଣାଉଛନ୍ତି। ଟୁଇଟର୍ ଟ୍ରମ୍ପଙ୍କ ‘ଡି ଫାକ୍ଟୋ ମାଉଥ୍ପିସ୍, ଅର୍ଥାତ୍ ଆମେରିକା ସରକାରଙ୍କ ବୈଦେଶିକ ନୀତିର ମୁଖପତ୍ର ହୋଇପଡିଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହିସାବରେ ଯେଉଁ ମିଡିଆ ନାଗରିକମାନଙ୍କ ମତ ବ୍ୟକ୍ତ କରିବାର ସ୍ବାଧୀନତାକୁ ଟେକି ଧରିବା କଥା ସେଗୁଡିକ ତ ରାଜନୈତିକ ବ୍ୟବସ୍ଥାର ଅଙ୍ଗ ହୋଇଯାଉଛନ୍ତି, ତାକୁ ସୋସିଆଲ ମିଡିଆ ଇତସ୍ତତଃ କରିଦେଉଛି।
ସୂଚନାକୁ ଅସ୍ତ୍ର କରିବାର ତୃତୀୟ ସ୍ତର ତ ଆହୁରି ଖରାପ। ଏବେ ତ ଖୋଜାଖୋଜି କରି ଚୋରି କରି ଡାଟା ନେବା ସାଧାରଣ କଥା ହୋଇଗଲଣି। ଖଣି ଖୋଳି ଖଣିଜପଦାର୍ଥ ଉଠାଇବା ଯେପରି ଏକ ପେସା, ଡାଟା ମାଇନିଂ (ତଥ୍ୟ ଖୋଜିବା) ଏକ ପେସା ହୋଇଗଲାଣି। ସେ ପେସାରେ କାମ କରୁଥିବା କେମ୍ବ୍ରିଜ୍ ଆନାଲିଟିକା କ୍ଲିଣ୍ଟନ୍ ବଦଳରେ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତାଇ ଦେଲା ବୋଲି ଆମେ ଶୁଣୁଛୁ। ମୋର ବ୍ୟକ୍ତିଗତ ଡାଟା ସବୁ ସଂଗ୍ରହ କରି ବା ଚୋରି କରି ପେସାଦାର ବିଶ୍ଳେଷଣକାରୀମାନେ କହିଦେବେ ମୁଁ କେଉଁଆଡେ ଢଳୁଛି ବା ମୋର ମାନସିକତା କିପରି, ଯିଏ ମୋତେ ତା’ ସପକ୍ଷରେ ନେବାକୁ ଚାହୁଁଛି ଯଦି ସେ ମୋ ଡାଟାରୁ ଦେଖିଲା ମୁଁ ତାକୁ ସମର୍ଥନ କରିବି ସେ ଖୁସି ହେବ, କିଛି କରିବ ନାହିଁ। ଯଦି ପେସାଦାର ସଂସ୍ଥା ଜାଣିଲା ମୋ ମତ ଭିନ୍ନ, ତାକୁ ବଦଳାଇବା ପାଇଁ ମୁଁ ପସନ୍ଦ କରୁଥିବା ମେସେଜ୍ ମାନ ଦେଇ ମୋତେ ତା’ ଦଳ ବା ଗ୍ରୁପ୍ରେ ରଖିବାକୁ ଚାହିଁବ, ମୋତେ ତା’ ଆଡକୁ ଢଳିବାର ବ୍ୟବସ୍ଥା ରୂପେ ପ୍ରଥମେ ମୋ ସାଙ୍ଗମାନଙ୍କୁ ଖୋଜିବ, ସେମାନଙ୍କ ସୋସିଆଲ ମିଡିଆ ବାଟେ ମୋ ଉପରେ ପ୍ରଭାବ ପକାଇବ। ତିନି ତୁଣ୍ଡରେ ଛେଳି କୁକୁର ହେଲା ଭଳି ମୁଁ ଭାବିବି ବୋଧହୁଏ ସେମାନେ ସତ କହୁଛନ୍ତି, ସେଇଟା କୁକୁର ହୋଇଥିବ, ଅନ୍ତତଃ କୁକୁର ଶବ୍ଦ ଲଗାଇଲେ ଅନ୍ୟମାନେ ମୋ ମତର ଛେଳି ବୋଲି ବୁଝିବେ। ଏମିତି ବାର ଆଡୁ ମୋ ପାଖକୁ ମେସେଜ ଆସିଲେ ଦିନେ ନା ଦିନେ ମୋ ଭଳି ଲୋକର ମତ ପରିବର୍ତ୍ତନ କରି ତାକୁ ସମର୍ଥକ କରିପାରିବ। ମନଗଢ଼ା ସୂଚନା ଏମିତି ମତ ତିଆରି କରିଥାଏ ବା କରି ଚାଲିଥାଏ। ଅନ୍ୟର ମତ ବଦଳାଇ ନିଜପକ୍ଷକୁ ନେବାର ମନସ୍ତତ୍ତ୍ୱ ବିଦ୍ୟା ହାସଲ କରିଥିବା ବିଶାରଦମାନେ ଏ କାମ କରିଥାନ୍ତି।
ଆଇବିଏମ୍ର ହିସାବ ଅନୁଯାୟୀ ପ୍ରତିଦିନ ୨.୫ କ୍ୟୁଣ୍ଟିଲିଅନ୍ (୧ପରେ ୧୮ଟି ଶୂନ) ବାଇଟ୍ ଡାଟା ତିଆରି ହେଉଛି। ମୁଁ ସାଙ୍ଗମାନଙ୍କ ସହିତ କିପରି କଥା ହେଉଛି, ଲୋକଙ୍କ ସହିତ କିଭଳି କଥାବାର୍ତ୍ତା କରୁଛି ଏବଂ କମ୍ପାନୀମାନଙ୍କ ସହିତ କିପରି ବ୍ୟବହାର କରୁଛି- ଅନ୍ଲାଇନ୍ରେ ହେଉଥିବା ଏସବୁ ଆଳାପକୁ ଡାଟା ବେସ୍ରେ ରଖି କମ୍ପାନୀମାନେ ମୋର ସ୍ବଭାବକୁ ବା ମାନସିକତାକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ଏହାକୁ କୁହାଯାଉଛି ହାଇପର ନଜିଂ, ନଜ୍ ମାନେ ଉଖୁରେଇଦେବା, ବାହାର କରିଦେବା। ଅର୍ଥାତ୍ ଚିନ୍ତାଧାରାର ଟିକି ଟିକି ଅଣୁକୁ କାଢି ନୂଆ ନୂଆ ଅଣୁ ପୂରାଇବା। କାଲି ଆମେ ଯେଉଁ କଥା ବିଶ୍ୱାସ କରୁ ନ ଥିଲୁ ବିଭିନ୍ନ ସୂତ୍ର ଜରିଆରେ ଆମକୁ ଜଣାଇ ଆମକୁ ସେଗୁଡିକ ଉପରେ ବିଶ୍ୱାସ ଜନ୍ମାଇ ନିଅନ୍ତି। ଆମକୁ କ’ଣ ଭଲ ଲାଗୁଛି ତାହା ଜରିଆରେ ଆମ ମନ ଭିତରେ ପଶିବାକୁ ଚେଷ୍ଟା କରନ୍ତି। ଗୋଟିଏ କଥାକୁ ବାରମ୍ବାର ଶୁଣିଲେ ଏବଂ ବିଭିନ୍ନ ଲୋକଙ୍କଠାରୁ ଶୁଣିଲେ- ଯାହାକି ସୋସିଆଲ ମିଡ଼ିଆ କରୁଛି- ଲୋକଟିର ମତ ନୂଆ ହୋଇଯାଏ। ଅସଂଖ୍ୟ ଉପାୟରେ ଏଭଳି ମାନିପୁଲେଶନ କରାଯାଇପାରେ। ଯେତେବେଳେ ପାୱାର ଡାଇନାମିକ୍ସକୁ ବଦଳାଇବାକୁ ନେତାମାନେ ଚାହାନ୍ତି ସେମାନେ ଏମିତି ଆଇନକୁ ଆଖିମିଟିକା ମାରୁଥିବା ବ୍ୟତିକ୍ରମ, ଲିଗାଲ ଭାକ୍ୟୁମ୍ର ସୁବିଧା ନେଇ ଜନମତ ସୃଷ୍ଟି କରଥାନ୍ତି। ଖବରକୁ ଯୁଦ୍ଧର ଅସ୍ତ୍ର କରୁଥିବା ଲୋକଙ୍କ ବିରୋଧରେ ଯଦି ଆମେ ସ୍ବର ଉତ୍ତୋଳନ କରିବା ତେବେ ତ ଆମକୁ ସେହି ସୂଚନା-ଅସ୍ତ୍ର ବ୍ୟବହାର କରିବାକୁ ପଡିବ। ତେଣୁ ପ୍ରତି ସୋସିଆଲ ମିଡିଆର ସନ୍ଦେଶ ଭିତରେ କେତେ ମିଛ କେତେ ସତ ଅଛି ଜଣେଇବାର ସଫ୍ଟଓ୍ବେର ବିକାଶ କରିବାର ଗୋଷ୍ଠୀଟିଏ ଦରକାର। ସୂଚନାଟି ସତକି ମିଛ ତାକୁ ଯାଞ୍ଚ କରିବାର ସମୟ କାହା ପାଖରେ ନାହିଁ। ଅଜାଣତରେ ଅଚେତନ ଅବସ୍ଥାରେ ବି ପାଉଥିବା ସନ୍ଦେଶକୁ ପ୍ରହିହତ କଲା ଭଳି ଅବସ୍ଥାକୁ ଆସିବାକୁ ହେଲେ ଏପରି ସଂସ୍ଥା ଓ ସଫ୍ଟଓ୍ବେର ଗଢିବାକୁ ପଡିବ, ଯାହା ସନ୍ଦେଶ ପାଇଲା କ୍ଷଣି ତତ୍କ୍ଷଣାତ୍ ସତ୍ୟାସତ୍ୟ ସୋସିଆଲ୍ ମିଡିଆରେ ବିଛୁରିତ କରିବ। ବହୁତ ଲୋକ ଜଣକୁ ଖରାପ କରିଦେଇପାରନ୍ତି, କିନ୍ତୁ ଜଣେ ବହୁତ ଲୋକଙ୍କୁ ଠିକ୍ କରିପାରିବ ନାହିଁ।
ଇମେଲ୍: sahadevas@yahoo.com