ଏ-୧ ଗ୍ରେଡ୍‌ଧାରୀଙ୍କୁ ସମ୍ବର୍ଦ୍ଧନା:‘ବୌଦ୍ଧିକ ଜ୍ଞାନ ବିକଶିତ କର’

ଢେଙ୍କାନାଳ ଅଫିସ, ୪।୬

କଠିନ ପରିଶ୍ରମ, ନିଷ୍ଠା, ଅଧ୍ୟାବସାୟ ବିଦ୍ୟାର୍ଥୀ ଜୀବନର ମୂଳ ପୁଞ୍ଜି। ଦକ୍ଷତା ଏବଂ ବୌଦ୍ଧିକ ଜ୍ଞାନ ବିକଶିତ ହେଲେ ଛାତ୍ରୀଛାତ୍ରମାନେ ସଫଳ ମଣିଷ ହୋଇପାରିବେ। ଢେଙ୍କାନାଳ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଶ୍ରେଷ୍ଠସ୍ଥାନ ହାସଲ କରିପାରିବ ବୋଲି କହିଛନ୍ତି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ। ମାଟ୍ରିକ୍‌ ପରୀକ୍ଷାରେ ଜିଲାରୁ ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ସେ ଏହା କହିଥିଲେ। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୩୮ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସବୁକ୍ଷେତ୍ରରୁ ଉଦ୍ୟମ ହେଲେ ଜିଲା ଶିକ୍ଷାରେ ରାଜ୍ୟସ୍ତରରେ ପ୍ରଥମସ୍ଥାନ ହାସଲ କରିବ। ଏଥିରେ ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କହିଥିଲେ।
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ପାସ୍‌ ହୋଇଥିବା ଛାତ୍ରୀଛାତ୍ର ସମେତ ଶତପ୍ରତିଶତ ପାସ୍‌ ହାର ରଖିଥିବା କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗୁଣ୍ଡିଚାନାଳୀସ୍ଥିତ ସରକାରୀ ଅପଗ୍ରେଡେଡ୍‌ ହାଇସ୍କୁଲ ଏବଂ ଢେଙ୍କାନାଳ ସଦର ବ୍ଲକ ବାରଦାସ୍ଥିତ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବି.ବି. ହାଇସ୍କୁଲର ମେଧାବୀ ଛାତ୍ରୀ ବିଷ୍ଣୁପ୍ରିୟା ପଣ୍ଡା ନିଜର ଅନୁଭୂତି ବାଣ୍ଟିଥିଲେ।
ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡିଇଓଙ୍କ କାର୍ଯ୍ୟାଳୟର ବିଜ୍ଞାନ ସୁପରଭାଇଜର ସୁକାନ୍ତ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ସମାରୋହରେ ବିଇଓ ଅଜୟ ପାତ୍ର, ହରିହର ଦେହୁରୀ, ନିତ୍ୟାନନ୍ଦ ବାରିକ, ମିନତି ଦେହୁରୀଙ୍କ ସମେତ ବହୁ ଶିକ୍ଷୟିତ୍ରୀଶିକ୍ଷକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାରେ ପାସ୍‌ହାର ଥିଲା ୭୨.୦୨%। ୨୭୦ ହାଇସ୍କୁଲର ୧୬,୮୨୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିରୁ ୧୨,୦୦୩ ଜଣ ପାସ୍‌ କରିଥିଲେ।

Share