ଜୋହାନ୍ସବର୍ଗ, ୩।୫: କୋଭିଡ-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଏବେ ସାମିଲ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ହର୍ଶ୍ଚେଲ ଗିବ୍ସ। ଏହି ଲଢେଇ ପାଇଁ ଅର୍ଥ ସଂଗ୍ରହ ଲକ୍ଷ୍ୟରେ ବାହାରିଛନ୍ତି ଗିବ୍ସ। ଦିନିକିଆ ଇତିହାସରେ ସର୍ବାଧିକ ଟାର୍ଗେଟର ସଫଳ ପିଛା କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିବା ଗିବ୍ସ ଯେଉଁ ବ୍ୟାଟ୍ରେ ଏହି ଐତିହାସିକ ଇନିଂସ ଖେଳିଥିଲେ ତାହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୦୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ୫ ମ୍ୟାଚ୍ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪ ଉଇକେଟ ହରାଇ ୪୩୪ ରନ ସଂଗ୍ରହ କରିଥିଲା। ତେବେ ଦକ୍ଷିଣ ଆଫ୍ରିକା ଗୋଟିଏ ବଲ୍ ବାକି ରଖି ୯ ଉଇକେଟ ହରାଇ ୪୩୮ ରନ କରି ବିଜୟୀ ହେବା ସହ ଇତିହାସ ସୃଷ୍ଟି କରିଥିଲା। ଗିବ୍ସ ଏହି ମ୍ୟାଚ୍ରେ ୧୧୧ଟି ବଲର ସମ୍ମୁଖୀନ ହୋଇ ୨୭ ଚୌକା ଓ ୭ ଛକା ସହ ୧୭୫ ରନର ଧୂଅଁାଧାର ପାଳି ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଯେଉଁ ବ୍ୟାଟ୍ରେ ଗିବ୍ସ ଏହି ଇନିଂସ ଖେଳିଥିଲେ ତାହା ତାଙ୍କର ଭାରି ପ୍ରିୟ। କରୋନା ଭାଇରସ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସେ ଏବେ ଏହି ବ୍ୟାଟ୍ ନିଲାମ କରିବେ ବୋଲି କହିଛନ୍ତି।