Categories: ଭଦ୍ରକ

ଐତିହାସିକ ବାସୁଦେବପୁର କାଳୀପୂଜା: ଶୋଭା ବଢ଼ାଉଛି ତୋରଣ, ଚିତ୍ରକଳ୍ପ

ବାସୁଦେବପୁର, ୩୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରରେ ଜମୁଛି ଐତିହାସିକ କାଳୀପୂଜା। ୧୯୪୪ରେ ଏକ ଝାଟିମାଟି ଘରେ ଆରମ୍ଭ ହୋଇଥିଲା ଏହି ପୂଜା। ଚଳିତବର୍ଷ ସର୍ବପୁରାତନ ଆମ କାଳୀ କମିଟି ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳନ କରୁଛି। ଏହାଛଡ଼ା ବାସୁଦେବପୁର ସହରରେ ବ୍ଲକ ରୋଡ୍‌, ହାଇସ୍କୁଲ ଛକ, କଚେରି ମଣ୍ଡପରେ ମା’ କାଳୀଙ୍କ ମୂର୍ତ୍ତି ଓ ପାର୍ଶ୍ୱ ଦେବଦେବୀ ମୂର୍ତ୍ତି ଆକର୍ଷଣୀୟ ହୋଇଛି। ରଙ୍ଗବେରଙ୍ଗର ଆଲୋକମାଳାରେ ପୂଜା ମଣ୍ଡପ ଓ ସହର ଝଲସୁଛି। ସେହିପରି ନିର୍ମିତ ଆକର୍ଷଣୀୟ ତୋରଣ ଓ ପୌରାଣିକ ଚିତ୍ରକଳ୍ପ ଶୋଭା ବଢ଼ାଉଛି। ଚଳିତବର୍ଷ ପୂଜାମଣ୍ଡପରେ ନିର୍ମିତ ପୌରାଣିକ ଚିତ୍ରକଳ୍ପ ବୀରତ୍ୱର କାହାଣୀ ବର୍ଣ୍ଣନା କରୁଛି। ଟ୍ରାଫିକ ଛକ ପୂଜା କମିଟିରେ ତ୍ରେତୟା ଯୁଗର କାହାଣୀ ଅଶ୍ୱମେଧ ଯଜ୍ଞରେ ପ୍ରଭୁ ରାମଚନ୍ଦ୍ର ଛାଡ଼ିଥିବା ଅଶ୍ୱକୁ ପୁତ୍ର ଲବକୁଶ ବାନ୍ଧି ନିଜର ବୀରତ୍ୱର ପରାକାଷ୍ଠା ଦେଖାଇଛନ୍ତି। ସେହିପରି ନିଳେନ୍ଦ୍ରୀ ହରଣ ଓ ତାରକା ସୁରବଦ୍ଧ ଚିତ୍ରକଳ୍ପକୁ ଅତି ନିଖୁଣ ଭାବେ ଉପସ୍ଥାପନ କରାଯାଇଛି। ବ୍ଲକ ରୋଡ୍‌ ପୂଜା କମିଟିରେ ମଧ୍ୟ ଅର୍ଜୁନଙ୍କର ବୀରତ୍ୱ କାହାଣୀ ଲାଖବିନ୍ଧ କରି ଦ୍ରୌପଦୀଙ୍କୁ ପାଇବା ଏବଂ କଚେରି ବଜାର ପୂଜାମଣ୍ଡପରେ କଂସରାଜଙ୍କ ଦରବାରରେ ମଲ୍ଲଯୋଦ୍ଧାଙ୍କ ବୀରତ୍ୱର ବାରୁଆଳି ଚିତ୍ତାକର୍ଷକ ହୋଇଛି। ଏଥର ସହରରେ କାଳୀପୂଜା ପାଇଁ ୪ କମିଟି ୪ଟି ଯାତ୍ରା ଦଳକୁ ଆଣୁଛନ୍ତି। ଏହି ଯାତ୍ରା ଦଳର ଆକର୍ଷଣୀୟ ପୋଷ୍ଟର ଦର୍ଶକଙ୍କୁ ବିମୋହିତ କରୁଛି।