ଐତିହ୍ୟକୁ ଭୁଲିଲେ, ସଂସ୍କୃତି ହଜିଯିବ

ପୁରୀ ଅଫିସ,୧୨।୧ : ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ରର ନାମ ପୁରୁଷୋତ୍ତମ କ୍ଷେତ୍ର ବୋଲି ରହିଛି। ଏପରିକି ପୁରୀର ୪୨ଟି ନାମ ରହିଛି। ପ୍ରତ୍ୟେକ ନାମ ପଛରେ ଏକ ଇତିହାସ ରହିଛି। ତୀର୍ଥରାଜ ମହୋଦଧି, ୪ ପୁଷ୍କରିଣୀ, ପ୍ରାଚୀନ ମଠ ସଂସ୍କୃତି, ଐତିହ୍ୟ କୀର୍ତ୍ତିରାଜିକୁ ନେଇ ଶ୍ରୀକ୍ଷେତ୍ର ସମୃଦ୍ଧି ଘଟିଛି। ଶ୍ରୀମନ୍ଦିରର ରୀତିନୀତି ସହିତ ମଠଗୁଡିକ ଜଡ଼ିତ। ମଠ ସଂସ୍କୃତି ବିଲୁପ୍ତ ହେଲେ ମହାପ୍ରଭୁଙ୍କ ଉପାସନା ପଦ୍ଧତିରେ ବ୍ୟାଘାତ ଘଟିବ। ଏପରିକି ଐତିହ୍ୟକୁ ଭୁଲିଗଲେ ସଂସ୍କୃତି ମଧ୍ୟ ଧୀରେ ଧୀରେ ହଜିଯିବ। ଶ୍ରୀମନ୍ଦିର ସୁରକ୍ଷାରେ ଜାଗା ଆଖଡ଼ାର ଅବଦାନ ଅତୁଳନୀୟ। ଏଣୁ ଐତିହ୍ୟର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଆମେ ବିକାଶ ପଥରେ ଆଗେଇବା ଉଚିତ। ଐତିହ୍ୟର ସ୍ମୃତି ଚିହ୍ନସ୍ବରୂୂପ ଏଠାରେ ଐତିହ୍ୟ ସ୍ମୃତି ସ୍ତମ୍ଭ ସ୍ଥାପନ କରାଯାଉ। ସାହିଯାତ ଓ ଜାଗା ଆଖଡ଼ା ସଂସ୍କୃତିର ପୁନରୁଦ୍ଧାର ଜରୁରି ବୋଲି ପୁରୀ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଶନିବାର ଶରଧାବାଲିସ୍ଥିତ ପୁସ୍ତକ ମେଳାରେ ଆୟୋଜିତ ‘ଶ୍ରୀକ୍ଷେତ୍ରର ଐତିହ୍ୟ ସଂସ୍କୃତି’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଐତିହ୍ୟ ବିଷାରଦ ଡ.ସୁରେନ୍ଦ୍ର ମିଶ୍ର ଏହା କହିଛନ୍ତି। ସଂଘ ସଭାପତି ତୀର୍ଥକ୍ଷେତ୍ର ସମ୍ପାଦକ ପୁରୁଷୋତ୍ତମ ପଲେଇଙ୍କ ସଭାପତିିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଡ. ମିଶ୍ର କହିଲେ ଯେ, ଶ୍ରୀକ୍ଷେତ୍ରରେ ୨୭୨ ଐତିହ୍ୟ ସ୍ଥାନ ରହିଛି। ମହର୍ଷି ଅଙ୍ଗିରା, କଣ୍ଡୁ, ମାକଣ୍ଡେୟ ଓ ଭୃଗୀ ଆଶ୍ରମ ପୁନରୁଦ୍ଧାର ଆବଶ୍ୟକ। ଐତିହ୍ୟ ପ୍ରତି ସଚେତନ ନ ହେଲେ, ଆଗାମୀ ଦିନରେ ଏହା କାଳଗର୍ଭରେ ଲୀନ ହୋଇଯିବ। ଉତ୍ତରପିଢ଼ି ଲାଗି କିଛି ନ ଥିବ। ମୁଖ୍ୟଅତିଥି ଭାବେ ଭାଷାବିତ୍‌ ତଥା ପୁସ୍ତକ ମେଳା କମିଟି ସଭାପତି ଡ.କୌଳାସ ଚନ୍ଦ୍ର ଟିକାୟତରାୟ କହିଥିଲେ, ସଂସ୍କୃତି ଓ ପରମ୍ପରା ହେଉଛି ଗୋଟିଏ ଜାତିର ପରିଚୟ। ଭାରତୀୟ ସଂସ୍କୃତି ମାନବୀୟ ଜୀବନମୂଲ୍ୟ ଉପରେ ଆଧାରିତ। ଗୋଟିଏ ଜାତି ତା’ର ସଂସ୍କୃତିକୁ ନେଇ ଗର୍ବ କରେ। ସଂସ୍କୃତିର ସଂରକ୍ଷଣ ଲାଗି ସମସ୍ତଙ୍କ କର୍ତ୍ତବ୍ୟ ରହିଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବୁଦ୍ଧିଜିବୀ ମାୟାଧର ମହାରଣା, ବରିଷ୍ଠ ଖବରଦାତା ଜଗନ୍ନାଥ ବସ୍ତିଆ, ରଣଜିତ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଂଘ ସମ୍ପାଦକ ବରିଷ୍ଠ ଖବରଦାତା ପ୍ରସନ୍ନ କୁମାର ଲେଙ୍କା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁବ ସାହିତି୍ୟକ ସଂଘର ବରିଷ୍ଠ ସଦସ୍ୟ ବିପିନ ବିହାରୀ ଦଲାଇ ଧନ୍ୟବାଦ ଦେଇଥିଲେ।