ଐତିହ୍ୟ ପଦଯାତ୍ରାରେ ଟୁର୍‌ ଅପରେଟର

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ) : ଓଡ଼ିଶା ଟ୍ରାଭେଲ୍‌ ବଜାରର ୩ୟ ସଂସ୍କରଣରେ ଯୋଗଦେବାକୁ ଆସିଥିବା ଦେଶର ବିଭିନ୍ନ ସ୍ଥାନର ଟୁର୍‌ ଅପରେଟର୍‌ମାନେ ଶନିବାର ପୁରୁଣା ଭୁବନେଶ୍ୱରରେ ଏକ ଐତିହ୍ୟ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଦେଶର ୨୦ରୁ ଊର୍ଦ୍ଧ୍ୱ ଟୁର୍‌ ଅପରେଟର୍‌ ପଦଯାତ୍ରାରେ ମନ୍ଦିରମାଳିନୀ ଭୁବନେଶ୍ୱରର ଐତିହ୍ୟ କୀର୍ତ୍ତିରାଜିକୁ ଦେଖି ଅଭିଭୂତ ହୋଇ ପଡିଥିଲେ। ପ୍ରାଚୀନ ମନ୍ଦିର ପର୍ଶୁରାମେଶ୍ୱର ପୀଠରୁ ସେମାନେ ଯାତ୍ରା ଆରମ୍ଭ କରି ପବିତ୍ର ବିନ୍ଦୁସାଗର ପାଖ ଔଷଧୀୟ ଉଦ୍ୟାନରେ ଶେଷ କରିଥିଲେ। କ୍ରମାନ୍ବୟରେ ୭ଟି ଐତିହ୍ୟ କୀର୍ତ୍ତି ସେମାନେ ପରିଦର୍ଶନ କରିଥିଲେ। ଜାତୀୟ ପୁରସ୍କାରପ୍ରାପ୍ତ ପର୍ଯ୍ୟଟନ ଗାଇଡ୍‌ ତପନ କୁମାର ମିଶ୍ର ଟୁର୍‌ ଅପରେଟର୍‌ମାନଙ୍କୁ ଓଡ଼ିଶାର ମନ୍ଦିର ନିର୍ମାଣ ଶୈଳୀ ଏବଂ ସ୍ଥାପତ୍ୟର ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ଓଡ଼ିଶାକୁ ଆସିଥିବା ଏହି ଟୁର୍‌ ଅପରେଟର୍‌ମାନେ ବିଭିନ୍ନ ଐତିହ୍ୟ ସ୍ଥାନଗୁଡ଼ିକ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ଓଡ଼ିଶା ପର୍ଯ୍ୟଟନର ବ୍ୟାପକ ପ୍ରସାର ତଥା ବିପଣନ ଦିଗରେ ସେମାନେ ପ୍ରଯତ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ଟ୍ରାଭେଲ୍‌ ବଜାର ରାଜ୍ୟ ପର୍ଯ୍ୟଟନ ଓ ଭାରତୀୟ ବାଣିଜ୍ୟ ମହାସଂଘ (ଫିକି)ର ମିଳିତ ଆୟୋଜକ ଭାବରେ ଓଡ଼ିଶାର ଐତିହ୍ୟ, ବୌଦ୍ଧ, ସାଂସ୍କୃତିକ ଓ ଜନଜାତି ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ବିକ୍ରୟ ଏବଂ ବିପଣନ ଆଭିମୁଖ୍ୟରେ ଆୟୋଜନ କରାଯାଇଛି।

Share