Categories: ମେଟ୍ରୋ

ଐତିହ୍ୟ ପଦଯାତ୍ରାରେ ସଙ୍ଗୀତର ଯୁଗଳବନ୍ଦୀ: ଖଣ୍ଡଗିରି, ଉଦୟଗିରି ଇତିହାସ ଜାଣିଲେ ପଯର୍ର୍‌ୟଟକ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ଭୁବନେଶ୍ୱରରେ ଚାଲିଥିବା ଐତିହ୍ୟ ପଦଯାତ୍ରାରେ ପ୍ରଥମଥର ଯୋଡି ହୋଇଛି ସଙ୍ଗୀତର ଯୁଗଳବନ୍ଦୀ। ଶନିବାର ଖଣ୍ଡଗିରି ଓ ଉଦୟଗିରିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମଜା ନେଇଛନ୍ତି ପର୍ଯ୍ୟଟକ। ତବଲା ବାଦକ ସୁଶାନ୍ତ ଓ ନୃତ୍ୟଶିଳ୍ପୀ ଶଶିକାନ୍ତଙ୍କ ‘ଭାବନୀ ଦୟାନୀ’ରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପାର ଇତିହାସ, ଐତିହ୍ୟ ଓ କଳିଙ୍ଗ ସାମ୍ରାଜ୍ୟର ଗାଥା ବିଷୟରେ ଜାଣିବାକୁ ପାଇଛନ୍ତି ପର୍ଯ୍ୟଟକ।

ପୂର୍ବାହ୍ନରେ ପଥଦର୍ଶକ ସତ୍ୟସ୍ବରୂପ ମିଶ୍ର ପର୍ଯ୍ୟଟକମାନଙ୍କୁ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ର ଇତିହାସ ବିଷୟରେ ବୁଝାଇଥିଲେ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମହାବୀର ଜୈନଙ୍କ ସମୟରେ ଏହି ଐତିହ୍ୟ କିପରି ଗଢି ଉଠିଥିଲା ଓ ପରେ ଇଂରେଜମାନେ କିପରି ପାହଡ଼ ଭିତରେ ଥିବା ହାତୀଗୁମ୍ଫା ଏବଂ ଅନ୍ୟ କଳାକୃତିକୁ ସାମ୍ନାକୁ ଆଣିଥିଲେ ତାହାର ଇତିହାସ ଜାଣିଥିଲେ ପର୍ଯ୍ୟଟକ। ଏହି ଅବସରରେ ଭିଡିଓ ବ୍ଲଗର ମହମ୍ମଦ ଅନିସ ଖାନ୍‌ ତାଙ୍କ ଆଗାମୀ ପ୍ରୋଜେକ୍ଟ ଲାଗି ଦୁଇ ପାହାଡ଼ ସହ ଗୁମ୍ଫା, କଳାକୃତି ଓ ଶିଳାଲେଖ ଆଦିର ଭିଡ଼ିଓ ଉତ୍ତୋଳନ କରିଥିଲେ। ସେହିପରି ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ନୀଳାଦ୍ରି ବିହାରୀ ପଣ୍ଡା କହିଥିଲେ, ମୁଁ ଆଗରୁ ବହୁଥର ଟ୍ବିନ୍‌ସିଟିକୁ ବୁଲିବାକୁ ଆସିଛି। କିନ୍ତୁ ଆଜିର ଅନୁଭୂତି କିଛି ଅଲଗା। ଭୁବନେଶ୍ୱର ଓ କଳିଙ୍ଗ ସାମ୍ରାଜ୍ୟର ଇତିହାସ ବିଷୟରେ ବହୁତ କିଛି ନୂଆକଥା ଜାଣିବାକୁ ମିଳିଲା ବୋଲି ସେ କହିଥିଲେ। ଏହି ପଦଯାତ୍ରାରେ ଦେଶର ଅଗ୍ରଣୀ ଆଇଟି କମ୍ପାନୀର ଭିଡ଼ିଓ ବ୍ଲଗର, ଇଣ୍ଟର୍ନଶିପ୍‌ କରୁଥିବା ଛାତ୍ର, ‘ଟେରୀ’ଓ କିଟ୍‌ର ଛାତ୍ରୀଛାତ୍ର, ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ଦନ୍ତ ଚିକିତ୍ସକ ଉପସ୍ଥିତ ଥିଲେ।

Share