Advertisement

ଐଶର୍ଯ୍ୟା ରାଗିବାରୁ ୨ଦିନ ହଲ୍‌ରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ ଇତିହାସରେ କେତେକ କପଲଙ୍କ ଯୋଡି ତିଆରି ହୋଇଛି ଓ ଭାଙ୍ଗିଛି। କିନ୍ତୁ କିଛି ଏଭଳି ଯୋଡି ଅଛନ୍ତି ଯାହାର ଅନ୍‌ସ୍କ୍ରିନ୍‌ ଓ ଅଫ୍‌ସ୍କ୍ରିନ୍‌ରେ ତାଳମେଳ ବେଶ୍‌ ଭଲ ରହିଥିବା ଦେଖିବାକୁ ମିଳେ। ଏମିତି କିଛି ଯୋଡିଙ୍କ ମଧ୍ୟରୁ ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ ଅନ୍ୟତମ। ସୋମବାର ଐଶ୍ୱର୍ଯ୍ୟା ଓ ଅଭିଷେକ ନିଜର ୧୩ତମ ବିବାହ ବାର୍ଷିକି ପାଳନ କରିଛନ୍ତି। ୨୦୦୭ ଏପ୍ରିଲ ୨୦ରେ ଐଶ୍ୱର୍ଯ୍ୟା ଓ ଅଭିଷେକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ବର୍ଷ ମଧ୍ୟରେ ସେମାନଙ୍କ ଜୀବନରେ କେତେ ଉତ୍‌ଥାନ ଓ ପତ୍ତନ ଘଟିଛି। ଏହାରି ଭିତରେ ବି ରିୟଲ ଲାଇଫ୍‌ରେ ଦୁହେଁ ଭଲ ବଣ୍ଡିଂ ଶେୟାର କରନ୍ତି। ଦୁହିଁଙ୍କ ମଧ୍ୟରେ କେବେ ମତଭେଦ ହେବା ଖବର ସାମ୍ନାକୁ ଆସିନାହିଁ। ଏପରିକି ଝିଅ ଆରାଧ୍ୟା ଜନ୍ମ ହେବା ପରେ ଦୁହିଁଙ୍କ ସମ୍ପର୍କ ଆହୁରି ମଜ୍‌ଭୁତ ହୋଇଛି। କିନ୍ତୁ ସର୍ମ୍ପକରେ ଯଦି ଟିକେ ଖିଟ୍‌ପିଟ୍‌ ବା ରାଗରୁଷା ନ ଥାଏ ତେବେ ସମ୍ପର୍କର ମାନେ କ’ଣ। ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କର ବି କିଛି ଏଭଳି ରୋମାଞ୍ଚକର କାହାଣୀ ରହିଛି। ଏକଦା ଅଭିଷେକଙ୍କ ଉପରେ ଐଶ୍ୱର୍ଯ୍ୟା ରାଗିଯିବାରୁ ୨ଦିନ ଧରି ଅଭିଷେକଙ୍କୁ ଘରର ହଲ୍‌ରେ ଶୋଇବାକୁ ପଡ଼ିଥିଲା। ସୂଚନା ମୁତାବକ ଅଭିଷେକଙ୍କର ନିଜର ଏକ କବାଡି ଟିମ୍‌ ଅଛି ଯାହାର ନାମ ‘ଜୟପୁର ପିଙ୍କ୍‌ ପେନ୍ଥର୍ସ’। ଥରେ ଅଭିଷେକ ନିଜ ଟିମ୍‌ର ଟ୍ରେନିଂ କାର୍ଯ୍ୟରେ ସତ୍ୟଭାମା ୟୁନିଭର୍ସିଟି ଯାଇଥିଲେ। ସେଠାରେ ତାଙ୍କର ସାକ୍ଷାତକାର ୟୁନିଭର୍ସିଟିର ପ୍ରତିଷ୍ଠାତା କର୍ନଲ ଜେପିଆରଙ୍କ ସହ ହୋଇଥିଲା। କର୍ନଲଙ୍କ ଅଫିସ ବହୁ ଛୋଟ ଥିବା ବେଳେ ସେ ତାଙ୍କର ଟ୍ରଫିଗୁଡ଼ିକୁ ତଳେ ରଖିଥିଲେ। ଏନେଇ ଅଭିଷେକ ତାଙ୍କୁ ପଚାରିବାରୁ ସେ କହିଥିଲେ, ଏହି ପୁରସ୍କାରଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେବାକୁ ଚାହୁଁନାହିଁ। କାରଣ ଯେତେବେବେଳେ ଆପଣଙ୍କ ସଫଳତା ମୁଣ୍ଡରେ ନାଚେ ସେତେବେଳେ ପତ୍ତନ ହେବା ଥୟ। ତେଣୁ ନିଜ ସଫଳତାକୁ କେବେ ପ୍ରାଧାନ୍ୟ ଦେବା ଉଚିତ ନୁହେଁ ବୋଲି କର୍ନଲ କହିଥିଲେ। ତେବେ କର୍ନଲଙ୍କ ଏହି ସାଦାସିଧା ଜୀବନଶୈଳୀ ଓ ଏଭଳି କଥାରେ ଅଭିଷେକ ବେଶ୍‌ ପ୍ରଭାବିତ ହୋଇଥିଲେ। ଅଭିଷେକ ନିଜ ଘରେ ଏଭଳି କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହାର ଫଳାଫଳ ଓଲଟା ପଡ଼ିଥିଲା। ତଳେ ଟ୍ରଫି ରଖିଯାଇଥିବା ଦେଖି ଐଶ୍ୱର୍ଯ୍ୟା ଅଭିଷେକଙ୍କ ଉପରେ ରାଗିଯାଇଥିଲେ। ଫଳରେ ଅଭିଷେକଙ୍କୁ ୨ ଦିନ ଘରର ହଲ୍‌ରେ ଶୋଇବାକୁ ପଡ଼ିଥିଲା ବୋଲି ଅଭିଷେକ ଏକ ଇଣ୍ଟରଭ୍ୟୁରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share