ଓଏଏସ୍‌ ପରୀକ୍ଷାରେ ତପସ୍ବିନୀଙ୍କ କୃତିତ୍ୱ: ଦୃଢ଼ ଇଚ୍ଛାଶକ୍ତି ସଫଳତା ଦେଇଛି

ବାଲିଆ, ୧୦।୧: ମାତ୍ର ୭ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ପରେ ବି ନିଜ ସ୍ବପ୍ନ ପୂରଣ କରିବାକୁ ଅନବରତ ଚେଷ୍ଟା ଚଳାଇଥିଲେ ବିରିଡ଼ି ବ୍ଲକ ୨୨ ମୌଜା ଚାଷୀଖଣ୍ଡ ଗ୍ରାମର ଅରୁଣ କୁମାର ଦାସ ଓ କୃଷ୍ଣପ୍ରିୟା ମହାନ୍ତିଙ୍କ ଏକମାତ୍ର ଝିଅ ତପସ୍ବିନୀ। ଭୁବନେଶ୍ୱରସ୍ଥିତ ଭୀମଭୋଇ ଅନ୍ଧ ବିଦ୍ୟାଳୟରେ ଅଧ୍ୟୟନ କରି ମାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରଶାସନିକ ସେବାରେ ଭର୍ତ୍ତି ହେବାର ଯେଉଁ ଇଚ୍ଛା ଥିଲା, ତାହା ଅଧିକ ଦୃଢ଼ ହୋଇଯାଇଥିଲା। ତେବେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍‌ (ଓଡ଼ିଶା ପ୍ରଶାସିନକ ସେବା)-୨୦୧୮ ପରୀକ୍ଷା ଦେଇ ସେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ତାଙ୍କ ମା’ବାପା, ଗ୍ରାମବାସୀ ଓ ଜିଲାବାସୀଙ୍କୁ ଗର୍ବିତ କରିଛି।

୧. ଏବେ ସଫଳତାର ଶୀର୍ଷରେ ପହଞ୍ଚତ୍ଛନ୍ତି। କେଉଁଠୁ ପ୍ରେରଣା ପାଇଥିଲେ?
ଉତ୍ତର- ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା କଠିନ ପରିଶ୍ରମ। ଯେମିତି ପରିଶ୍ରମ କରିବେ ସେହିଭଳି ଫଳ ନିଶ୍ଚୟ ମିଳିବ। ମୋ ଶିକ୍ଷୟିତ୍ରୀଶିକ୍ଷକଙ୍କଠାରୁ ବହୁତ ପ୍ରେରଣା ପାଇଛି। ବିଶେଷକରି ମା’ବାପା ଓ ଭଗବାନ୍‌ଙ୍କ ଆଶୀର୍ବାଦ ଯୋଗୁ ଏହି ସଫଳତା ମିଳିଛି।
୨. ଏହି ସଫଳତା ପାଇଁ କିପରି ପ୍ରସ୍ତୁତି କରିଥିଲେ?
ଉତ୍ତର-ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ସମ୍ମାନରେ ଯୁକ୍ତ ୩ ପଢ଼ା ସରିବା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିଥିଲି। ଏଥିପାଇଁ ଆଦୌ କୋଚିଂ ଯାଇ ନ ଥିବା ବେଳେ ପ୍ରିଲିମସ୍‌ ଓ ମେନ୍‌ ପରୀକ୍ଷା ପାଇଁ ଅନ୍‌ଲାଇନ ଯୋଗେ ପ୍ରସ୍ତୁତି କରିଥିଲି।
୩. ଦୃଷ୍ଟିଶକ୍ତି ହରାଇବା ପରେ ଭାଙ୍ଗି ପଡ଼ି ନ ଥିଲେ?
ଉତ୍ତର- ନା। ଦୃଷ୍ଟିଶକ୍ତି ହରାଇବା ପରେ ଲକ୍ଷ୍ୟ ପୂରଣ ପାଇଁ ଆହୁରି ଅଧିକ ପରିଶ୍ରମ କରିବା ଆରମ୍ଭ କରିଦେଇଥିଲି। ଜୀବନରେ କିଛି କରି ଦେଖାଇବାର ଇଚ୍ଛା ସବୁବେଳେ ମୋତେ ଆଗକୁ ବଢ଼ିବାର ସାହସ ଦେଇଥିଲା।
୪. ପ୍ରଶାସନିକ ସେବା ପ୍ରତି କେମିତି ମନ ବଳାଇଲେ?
ଉତ୍ତର- ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସବୁବେଳେ ଇଚ୍ଛା ଥିଲା। ତେଣୁ ପ୍ରଶାସିନକ ସେବାରେ ଯୋଗଦେବି ବୋଲି ସ୍ଥିର କରି ପ୍ରସ୍ତୁତି ଆରମ୍ଭ କରିଥିଲି।
୫. ଆଗକୁ କ’ଣ କରିବାକୁ ଇଚ୍ଛା ଅଛି?
ଉତ୍ତର-ଏବେ ମୋତେ ଯାହା ଦାୟିତ୍ୱ ମିଳିବ, ତାକୁ ସୁଚାରୁ ରୂପେ ତୁଲାଇବାକୁ ନିଶ୍ଚୟ ଚେଷ୍ଟା କରିବି। ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ଏବେ ମଧ୍ୟ ପାଠପଢ଼ା ଜାରି ରହିବ।

ରିପୋର୍ଟ-ରଞ୍ଜିତ ଖଣ୍ଡୁଆଳ

Share