ଓଏଏସ୍‌ ପରୀକ୍ଷାରେ ୧୫୨ ର଼୍ୟାଙ୍କ୍‌:ଗୀତୁ ବଢ଼ାଇଲେ ଗୌରବ

ଢେଙ୍କାନାଳ ଅଫିସ, ୧୨।୧

ନିକଟରେ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ୧୫୨ ର଼୍ୟାଙ୍କ୍‌ ରଖି ଢେଙ୍କାନାଳ ଜିଲାର ଗୌରବ ବଢ଼ାଇଛନ୍ତି ସ୍ଥାନୀୟ କାରିଗର ସାହି ଅଞ୍ଚଳର ଗୀତୁ ବେହେରା। ପ୍ରଥମ ଥର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ବେଶ୍‌ ଆତ୍ମସନ୍ତୁଷ୍ଟି ଲାଭ କରିଛନ୍ତି ଏହି ବିଟେକ୍‌ ଇଞ୍ଜିନିୟରିଂ ଛାତ୍ରୀ।
ବିଶିଷ୍ଟ ଫଟୋଗ୍ରାଫର ବସନ୍ତ ବେହେରା ଏବଂ ସରୋଜିନୀ ବେହେରାଙ୍କ ଦୁଇ ପୁଅ ଏବଂ ଏକମାତ୍ର ଝିଅ ମଧ୍ୟରେ ଗୀତୁ ହେଉଛନ୍ତି ସବୁଠାରୁ ସାନ। ନିଜ ସଫଳତା ସମ୍ପର୍କରେ ସେ କୁହନ୍ତି, ରାଜ୍ୟ ସରକାରଙ୍କ ପ୍ରଶାସନିକ ସେବାରେ ଯୋଗଦେବା ପରେ ‘୫-ଟି’ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ରହିବ। ଏଥିସହ ସରକାରୀ ଯୋଜନାରୁ ବଞ୍ଚତ୍ତ ଜନସାଧାରଣ କିପରି ନ୍ୟାୟ ପାଇପାରିବେ ସେଥିଲାଗି ପ୍ରାଥମିକତା ଦେବା ମୂଳଲକ୍ଷ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗୀତୁ ସରାଙ୍ଗସ୍ଥିତ ଆଇଜିଆଇଟିରୁ ବି-ଟେକ୍‌ କରିଛନ୍ତି। ଏହି ସଫଳତା ହାସଲ ପରେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶନିବାର ଗୋପାଳସାଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share