ଓଏଚ୍‌ଆର୍‌ସିରେ ଗୋଳନ୍ଥରା ବସ୍‌ ଟ୍ରାଜେଡି ମାମଲା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୧ା୨(ବ୍ୟୁରେ):ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଗ୍ରାମରେ ୧୧ କେଭି ବିଦ୍ୟୁତ ତାର ବସ୍‌ରେ ଲାଗିଯିବାରୁ ନିର୍ବନ୍ଧ ପାଇଁ ଯାଉଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପାଇଁ ବିଦ୍ୟୁତ୍‌ ବିଭାଗର ଅବହେଳା ଓ ବେପରୁଆ ମନୋଭାବକୁ ଦାୟୀ କରି ସମାଜବାଦୀ ପାର୍ଟି ସୋମବାର ରାଜ୍ୟ ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି। ପାଟିପକ୍ଷରୁ ଏନେଇ ଏକ ପିଟିଶନ କରାଯାଇଛି। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଓ ଆହତଙ୍କୁ ମାଗଣା ଚିକିତ୍ସା ସହ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।
ପାର୍ଟି ସଭାପତି ରବି ବେହେରା ଓ ସଦସ୍ୟମାନେ ପିଟିଶନରେ ଦର୍ଶାଇଛନ୍ତି ଯେ, ଉକ୍ତ ବସ୍‌ରେ ଥିବା ୪୦ଜଣଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିବା ବିଦ୍ୟୁତ୍‌ ବିଭାଗ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ, ସାଉଥ୍‌କୋର କାର୍ଯ୍ୟନିର୍ବାହୀ ଓ ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉ। ବିଦ୍ୟୁତ୍‌ ବିଭାଗର ଦାୟିତ୍ୱହୀନତା ଯୋଗୁ ରାଜ୍ୟରେ ଗତ ୧୦ ବର୍ଷରେ ୧୧୮୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୧୧୭ ହାତୀ ମରିସାରିଲେଣି। କେବଳ ଗଞ୍ଜାମ ନୁହେଁ, ରାଜ୍ୟର ପ୍ରତ୍ୟେକ ଜିଲାରେ ବିଦ୍ୟୁତ ବିଭାଗର ଅବହେଳାରୁ ଏଭଳି ଅନେକ ଦୁର୍ଘଟଣା ଘଟୁଛି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଜୁଳି ଖୁଣ୍ଟ, ତାର, ମୁକୁଳା ଟ୍ରାନ୍ସଫର୍ମର ଆଦିକୁ ତୁରନ୍ତ ସଜଡ଼ାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ପିଟିଶନରେ ନିବେଦନ କରିଛନ୍ତି।

Share