ଓଏଚ୍‌ଆର୍‌ସିରେ ୪୦ ପ୍ରତିଶତ କର୍ମଚାରୀ ପଦ ଖାଲି: ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଆଇନଜୀବୀ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମାନବୀକ ଅଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ୬୯ ପଦବୀ ରହିଥିବାବେଳେ ୪୦ ପ୍ରତିଶତ ଅର୍ଥାତ୍‌ ୨୭ଟି ଖାଲି ପଡିଛି। ଏହାକୁ ପୂରଣ କରାଯାଉ ନ ଥିବାରୁ ମାମଲାଗୁଡ଼ିକର ଫଇସଲାରେ ଅହେତୁକ ବିଳମ୍ବ ଘଟୁଛି। ଏନେଇ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ, ବିଜୟ ପଣ୍ଡା, ଗାଲେଖ ପ୍ରସାଦ ନାୟକ ଓ ଶୁଭାଶିଷ ପଣ୍ଡା ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶ୍ୱପ୍ରିୟ କହିଛନ୍ତି, ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ବୃଦ୍ଧି ପାଉଛି। ୧୫ହଜାର ମାମଲା ପଡ଼ି ରହିଥିବାବେଳେ ପ୍ରତିଦିନ ଅତ୍ୟନ୍ତ ୩୦ ମାମଲା ଦାଏର ହେଉଛି। ହେଲେ ଓଏଚ୍‌ଆର୍‌ସିରେ ଖାଲି ପଡ଼ିଥିବା ପଦବୀ ପୂରଣ କରାଯାଉନାହିଁ। ଏପରି କି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପଦବୀ ବି ଖାଲି ପଡିଛି। ମାମଲା ପଞ୍ଜୀକରଣଠାରୁ ନଥି ପ୍ରସ୍ତୁତ କରିବା, ଅଧ୍ୟକ୍ଷଙ୍କ ସମେତ ଦୁଇ ସଦସ୍ୟଙ୍କ ନିକଟରେ ମାମଲା ଦାଖଲ କରାଇବା, ଆଦେଶ ଟାଇପ୍‌ ଓ ଡେସ୍‌ପ୍ୟାଚ୍‌ କରିବା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। କମିଶନରଙ୍କର ଫୁଲ୍‌ ବେଞ୍ଚ ଥିଲେ ମଧ୍ୟ ସାଧାରଣ ଜନତା ତା’ର ସୁଫଳ ପାଇପାରୁ ନାହାନ୍ତି। ତୁରନ୍ତ ଆବଶ୍ୟକ ସଂଖ୍ୟକ ଷ୍ଟେନୋଗ୍ରାଫର, ପେସ୍କାର, ଗ୍ରୁପ୍‌-ଡି କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ରାଜ୍ୟପାଳଙ୍କୁ ନିବେଦନ କରାଯାଇଥିବା ସେ କହିଛନ୍ତି।

Share