ଓଏଚ୍‌ପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ଧର୍ମଗଡ଼,୨୩।୧୩(ଡି.ଏନ.ଏ.):କଳାହାଣ୍ଡି ଜିଲା ମୁଖିଗୁଡା ଇନ୍ଦ୍ରାବତୀ ଓଏଚ୍‌ପିସିରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମୁଖିଗୁଡା ଏୟାରଟେଲ ଟାୱାର ନିକଟ ବୁଦା ଆଡୁଆଳରୁ ଠାବ ହୋଇଛି। ବୁଦା ମୂଳରୁ ଦୁର୍ଗନ୍ଧ ହେବାରୁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଗତ ୧୭ ତାରିଖରୁ ଅଫିସକୁ ଆସି ସେ ନିଖୋଜ ଥିଲେ। ନିଖୋଜ ପରେ ସ୍ତ୍ରୀ ସୁରେଖା ମେହେର ମୁଖିଗୁଡା ଫାଣ୍ଡିରେ ଅପହରଣ ଓ ନିଖୋଜ ଥିବା ଅଭିଯୋଗ କରିଥିଲେ। ନିଖୋଜକୁ ନେଇ ପୋଲିସର ତଦନ୍ତରେ ଶିଥିଳତା ଯୋଗୁ ସ୍ତ୍ରୀ ଚିନ୍ତାରେ ଥିବାବେଳେ ୬ ଦିନ ପରେ ନିଖୋଜ ମ୍ୟାନେଜରଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଏହା ଏକ ସୁପରିକଳ୍ପିତ ଅପହରଣ ଓ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସୋମବାର ସନ୍ଧାନୀ କୁକୁର ଆସି ସୁରାକ ଖୋଜୁଥିବାବେଳେ ମୁଖିଗୁଡା ଗ୍ରାମବାସୀ ସିବିଆଇ ତଦନ୍ତ ଦାବି କରିବା ସହ ଓଏଚ୍‌ପିସି କର୍ତ୍ତୃପକ୍ଷ, ଅଧିକାରୀ ମଧ୍ୟ ଆସି ନ ଥିବାରୁ ମୃତଦେହକୁ ଅଟକ ରଖି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଘଟଣାସ୍ଥଳରେ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଛି।

Share