Categories: ବାଣିଜ୍ୟ

ଓଏନ୍‌ଜିସି, ଆଇଓସି, ଏନ୍‌ଟିପିସି, ଗେଲ୍‌ର ସରକାରୀ ନିୟନ୍ତ୍ରଣ ହଟିବ

ବଜେଟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିଜର ନିୟନ୍ତ୍ରଣ ହଟାଇବାକୁ ଚାହୁଁଛନ୍ତି। ଏହାଦ୍ୱାରା ଦେଶରେ ନିବେଶ ବୃଦ୍ଧି ପାଇବ ବୋଲି ସରକାର ଭାବୁଛନ୍ତି।
ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ପ୍ରମୁଖ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି), ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି), ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ଓ ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ(ଗେଲ୍‌)ରେ ଥିବା ସରକାରଙ୍କ ଅଂଶଧନକୁ ୫୧%ରୁ କମ୍‌ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ମୋଦିଙ୍କ ସମ୍ପତ୍ତି ବିକ୍ରି ବିଭାଗ ମୁଖ୍ୟ(ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ ମ୍ୟାନେଜମେଣ୍ଟ ସଚିବ) ଅତନୁ ଚକ୍ରବର୍ତ୍ତୀ କହିଛନ୍ତି। ଏଗୁଡ଼ିକୁ ଘରୋଇ ହାତକୁ ଦେଇ କାର୍ଯ୍ୟଦକ୍ଷତା ବଢ଼ାଇବା ସହ ନିବେଶ ବୃଦ୍ଧି କରିବାକୁ ସରକାର ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ ଭାରତୀୟ ଜୀବନ ବୀମା କମ୍ପାନୀ ଭଳି କେତେକ ଅତି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସରକାରଙ୍କ ଅଂଶଧନ ୫୧%ରୁ କମିବ ନାହିଁ ବୋଲି ଅତନୁ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଭାଷଣରେ ଉଲ୍ଲେଖ ରହିଛି। ସୂଚନାଥାଉ କି, ବିଶ୍ୱର ବୃହତ ତୈଳ କମ୍ପାନୀଙ୍କ ସମକକ୍ଷ ହେବା ଲାଗି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦେଶର ସମସ୍ତ ତୈଳ କମ୍ପାନୀଙ୍କୁ ଏକାଠି ମିଶାଇ ଏକ ବୃହତ କମ୍ପାନୀ ପ୍ରତିଷ୍ଠା ଲାଗି ୨୦୧୭ରେ ପ୍ରସ୍ତାବ ଦେଇଥିଲେ।

Share