Categories: ବାଣିଜ୍ୟ

ଓଏମ୍‌ସିର ୬୮ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ,୧୭।୫: ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ୬୮ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଓଡ଼ିଶା ସରକାରଙ୍କ ଅଧୀନ ଓଏମ୍‌ସି ଏକ ଦାୟିତ୍ୱବାନ୍‌ ତଥା ଏକ ମର୍ଯ୍ୟାଦାପୂର୍ଣ୍ଣ କର୍ପୋରେଟ ସଂସ୍ଥା ଭାବେ ଜଣାଶୁଣା। ଏପରିକି ଓଡ଼ିଶାକୁ ଏକ ଦ୍ରୁତ ପ୍ରଗତିଶୀଳ, ଶିଳ୍ପୋନ୍ନତ ତଥା ଅର୍ଥନୈତିକ ଭାବେ ସଶକ୍ତ ରାଜ୍ୟରେ ପରିଣତ କରିବା ଲାଗି ସମଗ୍ର ଓଡ଼ିଶାବାସୀଙ୍କ ଥିବା ଆକାଂକ୍ଷାକୁ ସଫଳ କରିବା ଦିଗରେ ଅହରହ ଚେଷ୍ଟା ଚଳାଇଛି ବୋଲି ମଲ୍ଲିକ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିଭଳି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ କହିଥିଲେ, ସାରା ଭାରତରେ ଓଏମ୍‌ସି ଚତୁର୍ଥ ବୃହତ୍‌ ଲୁହାପଥର ଉତ୍ପାଦନକାରୀ କମ୍ପାନୀ ଭାବେ ପରିଗଣିତ ହେଉଛି। ଏପରିକି ଓଏମ୍‌ସିରେ ଏକ ସୁବର୍ଣ୍ଣଯୁଗର ଅୟମାରମ୍ଭ ମଧ୍ୟ ହୋଇଛି। ସେହିପରି ନିଗମ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଏବଂ ଟିମ୍‌ୱାର୍କ ବଳରେ କମ୍ପାନୀ ସଫଳତାର ନୂତନ ପାହାଚ ଚଢ଼ି ଚାଲିଛି। ଏହା ପ୍ରକୃତରେ ପ୍ରଶଂସାଯୋଗ୍ୟ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଶେଷକରି ନିଗମ କର୍ମଚାରୀଙ୍କ ଉନ୍ନତି ହିଁ ଆମର ପରମ ଲକ୍ଷ୍ୟ ହେବା ଉଚିତ ତା’ ସହ ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ଏବଂ ପରିବେଶର ସୁରକ୍ଷା ବି ଆମର ମୂଳଲକ୍ଷ୍ୟ ହେବା ଉଚିତ ବୋଲି ସିଂ ମତପ୍ରକାଶ କରିଛନ୍ତି। ଏହି ଅବସରରେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା କର୍ମଚାରୀଙ୍କୁ ବିଭିନ୍ନ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଓଏମ୍‌ସିର ବିତ୍ତ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମାନବ ସମ୍ବଳ ନିର୍ଦ୍ଦେଶକ ଆଲୋକ କୁମାର ପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Share