Categories: ମେଟ୍ରୋ

ଓଏସ୍‌ସିପିସିଆର୍‌ରେ ଅଭିଭାବକ ସଂଘର ଅଭିଯୋଗ: କନିଷ୍ଠ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନସମ୍ପର୍କ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ବଡ଼ଗଡ଼ ଥାନା ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ୍‌ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ସହ ଦଶମ ଶ୍ରେଣୀର ଜଣେ ଛାତ୍ର ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ପୀଡ଼ିତ ଛାତ୍ରଙ୍କ ପରିବାରବର୍ଗ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏ ସମ୍ପର୍କରେ ସର୍ବଭାରତୀୟ ଅଭିଭାବକ ସଂଘ ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆୟୋଗ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ତଲବ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗତ ମାସ ୩୧ତାରିଖରେ ପଞ୍ଚମ ଶ୍ରେଣୀ ଛାତ୍ର ଜଣକ ସ୍କୁଲକୁ ଯାଇଥିଲେ। କ୍ଲାସ ଚାଲୁଥିବା ବେଳେ ତାଙ୍କୁ ଦଶମ ଶ୍ରେଣୀର ଜଣେ ଛାତ୍ର କୌଶଳକ୍ରମେ ଟଏଲେଟ୍‌କୁ ଡାକି ନେଇଥିଲେ। ସେଠାରେ ସେ ତାଙ୍କ ସହ ଜୋରଜବରଦସ୍ତି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଦୁଇଘଣ୍ଟା ପରେ ସମ୍ପୃକ୍ତ ପଞ୍ଚମ ଶ୍ରେଣୀ ଛାତ୍ର କ୍ଲାସ୍‌ରୁମ୍‌କୁ ଫେରିଥିଲେ। ତେବେ ସେ ଘରକୁ ଯିବା ପରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ କାନ୍ଦିଥିଲେ। ପରିବାର ଲୋକେ ତାଙ୍କୁ ପଚାରିଥିଲେ ମଧ୍ୟ ସେ କିଛି କହି ନ ଥିଲେ। କିନ୍ତୁ ରକ୍ତ ବାହାରିବାରୁ ଘଟଣା ସମ୍ପର୍କରେ ସେମାନେ ଜାଣିବାକୁ ପାଇଥିଲେ।

ଏ ନେଇ ସର୍ବଭାରତୀୟ ଅଭିଭାବକ ସଂଘର ରାଜ୍ୟ ସଭାପତି ପ୍ରଦୀପ୍ତ ନାୟକ କହିଛନ୍ତି, ରାଜ୍ୟରେ ଅନେକ ଘରୋଇ ଇଂଲିଶ ମିଡିୟମ ସ୍କୁଲର ପରିଚାଳନା ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ। ସେଠାରେ ଶିଶୁମାନଙ୍କ ନିରାପତ୍ତା ଓ ସୁରକ୍ଷା ନେଇ କୌଣସି କଟକଣା ନାହିଁ। ସେଥିପାଇଁ ଅଧିକାଂଶ ସମୟରେ ଏପରି ଘଟଣା ଘଟୁଛି। ଏଭଳି ଘଟଣା ଘଟିଲେ ଘରୋଇ ବିଦ୍ୟାଳୟର ମାଲିକମାନେ ତାହାକୁ ଚାପି ଦେଉଛନ୍ତି। ସଂଘ ଏହି ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

Share