ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହୃତ: ଆଜିଠାରୁ ସ୍ବାଭାବିକ ହେବ ଭୁବନେଶ୍ୱର କୋର୍ଟ

ଭୁୁବନେଶ୍ୱର, ୬ା୭(ବ୍ୟୁରୋ): ଓକିଲଙ୍କୁ ଆକ୍ରମଣ ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭୁବନେଶ୍ୱର ବାର ଆସୋସିଏଶନ ପକ୍ଷରୁ ଗତ ୨୦ ତାରିଖରୁ କାର୍ଯ୍ୟ ବନ୍ଦ ଚାଲିଥିଲା। ଏଥିଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଓ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିସହ ମାମଲାର ବିଚାର ହୋଇ ନ ପାରିବାରୁ ନ୍ୟାୟ ପାଇବାରେ ବିଳମ୍ବ ହୋଇଥିଲା। ଇତିମଧ୍ୟରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର ଭୁବନେଶ୍ୱର ବାର ଆସୋସିଏଶନ ପକ୍ଷରୁ ଏକ ବୈଠକ ବସିଥିଲା। ବହୁ ସମୟ ଧରି ଆଲୋଚନା କରାଯିବା ପରେ ଶେଷରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିଲା। ଏ ସମ୍ପର୍କରେ ଆସୋସିଏଶନ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ସୂଚନା ଦେଇ ଶନିବାରଠାରୁ ସ୍ବାଭାବିକ ଭାବେ କୋର୍ଟ କାର୍ଯ୍ୟ ଚାଲୁରହିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ଜମିର ସୀମା ନିର୍ଦ୍ଧାରଣକୁ ନେଇ ଦୁଇଜଣ ଓକିଲଙ୍କୁ ଉକ୍ତ ଅଞ୍ଚଳର ୬ଜଣ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଓକିଲ ଗୁରୁତର ଆହତ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପ୍ରଥମେ ମାମଲା ରୁଜୁ କରି ବସି ପଡିଥିଲା। ଶେଷରେ ଭୁବନେଶ୍ୱର ବାର ଆସୋସିଏଶନ ଆନ୍ଦୋଳନକୁ ଓହ୍ଲାଇ ଥିଲା।

Share