ଓଜନିଆ ଗାଉନ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା

ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା ବୋଲ୍ଡ ଲାଲ ରଙ୍ଗର ଏକ ଗାଉନ ପିନ୍ଧିଥିଲେ। ଏହା ଗାଉନ୍‌ ଏବେ ଚର୍ଚ୍ଚାରେ। କାରଣ ଉର୍ବଶୀଙ୍କୁ ସମାରୋହରେ ବସିବା ପାଇଁ ଚାରି ଜଣ ବସିବା ଭଳି ଜାଗାର ଆବଶ୍ୟକତା ପଡ଼ିଥିଲା। ଏହାର ଏକ ଭିଡିଓ ନିଜେ ଉର୍ବଶୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ସେ ଏକ ଶୋଫା ଉପରେ ବସିଛନ୍ତି। ତାଙ୍କ ଗାଉନକୁ ସମ୍ଭାଳିବା ପାଇଁ ୨/୩ ଜଣ ଫ୍ୟାଶନ ଡିଜାଇନର ଲାଗିପଡ଼ିଥିବା ଦେଖିବାକୁ ମିଳୁଛି। ଏହି ଗାଉନରେ ଉର୍ବଶୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭିଡିଓଟିକୁ ଶେୟାର କରିବା ସହ ସେ ଏକ କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ‘ମୋର ଟିମ୍‌ ବିନା ଏହି ଗାଉନକୁ ସମ୍ଭାଳିବା କଷ୍ଟକର। ରେଡ୍‌ କାର୍ପେଟରେ ଆଜି ପର୍ଯ୍ୟନ୍ତ ଏହା ସବୁଠାରୁ ଓଜନିଆ ଗାଉନ୍‌। ବସିବା ପାଇଁ ୪ଟି ଚେୟାର ନେବାକୁ ପଡିଛି’।
ଅପରପକ୍ଷେ ଉର୍ବଶୀଙ୍କୁ ଏହି ଗାଉନ ପାଇଁ ଟ୍ରୋଲ ହେବାକୁ ମଧ୍ୟ ପଡ଼ିଛି। ଜଣେ ୟୁଜର ଲେଖିଛନ୍ତି, ଆମର କମ୍ବଳ ମଧ୍ୟ ଛୋଟ ପଡ଼ିବ। କମ୍ବଳ ନେଇ କ’ଣ ପାଇଁ ଆସିଛ ବୋଲି ଅନ୍ୟ ଜଣେ ୟୁଜର ଲେଖିଛନ୍ତି।

Share