Categories: ରାଜ୍ୟ

ଓଜେଇଇ ଫଳ ପ୍ରକାଶିତ: ସ୍ମିତାରାଣୀ ଏମ୍‌ସିଏ ଟପ୍ପର

ମହାକାଳପଡ଼ା, ୨୦।୬ (ଡି.ଏନ୍‌.ଏ.): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ଓଜେଇଇ ଏମ୍‌ସିଏରେ ମହାକାଳପଡ଼ା ବ୍ଲକ ମହାକାଳପଡ଼ା ଗ୍ରାମର ହରପ୍ରିୟା ଓ ଶିବପ୍ରସାଦ ଚୌଧୁରୀଙ୍କ ଝିଅ ସ୍ମିତାରାଣୀ ଓଡ଼ିଶା ଟପ୍ପର ହୋଇଛନ୍ତି। ସ୍ମିତାରାଣୀ ପିଲାଦିନୁ ଖୁବ୍‌ ମେଧାବୀ ଥିଲେ। ଭୁବନେଶ୍ୱରସ୍ଥିତ ଋତୁପଲ୍ଲୀ ସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ଷ୍ଟଓ୍ବୋର୍ଟ ସ୍କୁଲରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲେ। ସେଠାରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସ୍ମିତାରାଣୀ ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନରେ ନାମ ଲେଖାଇଥିଲେ। ମା’ବାପାଙ୍କର ଇଚ୍ଛା ଝିଅ ପଦାର୍ଥ ବିଜ୍ଞାନରେ ଅଧ୍ୟାପିକା ହେବ, ହେଲେ ଏମ୍‌ସିଏ କରିବା ପାଇଁ ମନ କରି ସେଥିପାଇଁ ଦିନକୁ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲେ ସ୍ମିତାରାଣୀ। ଓଜେଇଇ ପରୀକ୍ଷାରେ କୃତିତ୍ୱ ଲାଭ କରିବା ପରେ ସ୍ମିତାରାଣୀଙ୍କ ପରିବାର ଲୋକେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ବାପା ଶିବପ୍ରସାଦ କହିଛନ୍ତି, ପିଲାଦିନୁ ପାଠପଢ଼ା ପ୍ରତି ସ୍ମିତାର ଖୁବ୍‌ ଆଗ୍ରହ ଥିଲା। ସେ ଏମ୍‌ସିଏ ପଢ଼ିବ ଭାବି କଠିନ ପରିଶ୍ରମ ମଧ୍ୟ କରିଥିଲା। ତା’ର ଦୃଢ଼ ଇଚ୍ଛାଶକ୍ତି, ଗୁରୁଜନଙ୍କ ଆଶୀର୍ବାଦ ଯୋଗୁ ସେ ଏହି ସଫଳତା ପାଇଛି ବୋଲି ତାଙ୍କ ବାପା କହିଛନ୍ତି। ପାଠପଢ଼ା ସହ ପେଣ୍ଟିଂ, ନାଚ, ଗୀତ ଆଦିରେ ତାଙ୍କର ବେଶ୍‌ ରୁଚି ରହିଛି। ଓଡ଼ିଶୀ ନୃତ୍ୟରେ ସଫଳତା ଅର୍ଜନ କିବା ସହ ୨୦୧୧ରେ ସେ ନବମ ଶ୍ରେଣୀରେ ପଢୁଥିବା ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ସ୍ମିତାରାଣୀଙ୍କ ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Share