ଓଟିଇଟି ପ୍ରଶ୍ନପତ୍ରରେ ତ୍ରୁଟି ଘଟଣା: ପୁନଃ ମୂଲ୍ୟାୟନ ଅର୍ଥ କମ୍‌ ପାଇଁ ଦାବି

କଟକ ଅଫିସ, ୧୨।୧୦: ପ୍ରଶ୍ନପତ୍ର ତ୍ରୁଟି ଲାଗି ୨୦୧୮ରେ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାତିଲ କରି ଦିଆଯାଇଥିଲା। ସେହିପରି ଚଳିତବର୍ଷ ଜାନୁଆରୀରେ ଏହି ପରୀକ୍ଷା ହେବାକୁ ଥିଲା। ମାତ୍ର ଏହି ପରୀକ୍ଷା ଗତ ଅଗଷ୍ଟ ୫ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ପାଇଁ ପ୍ରସ୍ତୁତ ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ଥିବା ଦେଖାଯାଇଥିଲା। ଇଂଲିଶ ଭାଷାକୁ ଓଡ଼ିଆ ଅକ୍ଷରରେ ଲେଖା ହୋଇଥିବାବେଳେ ତାହା ଠିକ୍‌ ଭାବେ ପଢ଼ି ହୋଇ ନ ଥିଲା। ସେହିପରି ପ୍ରତି ସେଟ୍‌ର ଗୋଟିଏ, ଦୁଇଟି ପ୍ରଶ୍ନର ବିକଳ୍ପ ଭାଷା ଓଡ଼ିଆ ବଦଳରେ ବେଙ୍ଗଲି, ତେଲୁଗୁ, ତାମିଲ ଆଦି ରହିଥିଲା। ଯେଉଁଥିପାଇଁ ପରୀକ୍ଷାର୍ଥୀମାନେ ଠିକ୍‌ ଭାବେ ପ୍ରଶ୍ନ ବୁଝି ନ ପାରି ଅସୁବିଧାରେ ପଡ଼ିଥିଲେ। ସେହିପରି ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷାର ପ୍ରତିଟି ପ୍ରଶ୍ନର ପୁନଃ ମୂଲ୍ୟାୟନ ପାଇଁ ୫୦୦ଟଙ୍କା ଦେୟ ଧାର୍ଯ୍ୟ କରିଛି। ଯାହାଫଳରେ ପରୀକ୍ଷାର୍ଥୀ ପୁନଃ ମୂଲ୍ୟାୟନ ପାଇଁ ଆର୍ଥତ୍କ ସମସ୍ୟାରେ ପଡୁଛନ୍ତି। ପରୀକ୍ଷାର୍ଥୀଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶୁକ୍ରବାର ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକଙ୍କୁ ଭେଟି ପ୍ରଶ୍ନପତ୍ର ତ୍ରୁଟି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ଉକ୍ତ ପ୍ରଶ୍ନଗୁଡ଼ିକ ପାଇଁ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ଦେବା ସହ ପୁନଃ ମୂଲ୍ୟାୟନ ଦେୟ କମ୍‌ କରିବା ଲାଗି ସେ ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ପାଦକ ଏହି ଦାବିପତ୍ର ଗ୍ରହଣ କରିଥିବାବେଳେ ପରିଷଦ ସଦସ୍ୟଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ଆସନ୍ତା ୧୩ ସୁଦ୍ଧା ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଏବିଭିପି ଆନ୍ଦୋଳନ କରିବ ବୋଲି ବାଲେଶ୍ୱର ଜିଲା ସଂଯୋଜକ ସାଇ ପ୍ରୀତମ ସେନାପତି ଓ ସହ ସମ୍ପାଦିକା ସଙ୍ଗୀତା ପଣ୍ଡା ଚେତାବନୀ ଦେଇଛନ୍ତି।

Share