ଓଟିଇଟି ବିଭ୍ରାଟ: ୧୪ରେ ବୋର୍ଡ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଟିଇଟି ପ୍ରଶ୍ନ ଓ ଫଳ ପ୍ରକାଶନ ବିଭ୍ରାଟକୁ ନେଇ ଏକ୍ସ କ୍ୟାଡର ଶିକ୍ଷକ ମହାସଂଘ ପକ୍ଷରୁ ପୁଣିଥରେ ରାଜ୍ୟସ୍ତରୀୟ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ କରାଯିବ। ବର୍ଷକୁ ଦୁଇଥର ପରୀକ୍ଷା ନ ହେବା, ପ୍ରଶ୍ନପତ୍ର ଭାଇରାଲ ଆଳ ଦେଖାଇ ବୋର୍ଡ଼ କର୍ତ୍ତୃପକ୍ଷ ବିନା ତଦନ୍ତ ଓ ପ୍ରମାଣରେ ପରୀକ୍ଷାକୁ ବାତିଲ କରିବା ଆଦି ପ୍ରସଙ୍ଗକୁ ନେଇ ଆସନ୍ତା ୧୪ ତାରିଖରେ ଆନ୍ଦୋଳନ ହେବ। ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯିବ ବୋଲି ମହାସଂଘ ସଭାପତି ଶିବଲାଲ ସାହୁ ରବିବାର ଏକ ବିବୃତିରେ ଜଣାଇଛନ୍ତି। ସେ କହିଛନ୍ତି, ନଭେମ୍ବର ୧୪ରେ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ବୋର୍ଡ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ୨୧ ତାରିଖରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନେବାକୁ ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଯେଉଁ ଫଳ ପ୍ରକାଶ ପାଇଛି, କାହାକୁ କେତେ ମାର୍କ ଦେଇଛନ୍ତି ତାହାର କୌଣସି ସଠିକତା ନାହିଁ। ଏହା କେଉଁ ନିୟମରେ ହେଲା ତାହା ସନ୍ଦେହ ହେଉଛି। ଗତ ୨୮ ତାରିଖ ସୁଦ୍ଧା ମହାସଂଘ ସହ ଆଲୋଚନା କରି ସମାଧାନ ପାଇଁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିଲା ନାହିଁ।

Share