ଓଟିଡିସି ଆରମ୍ଭ କଲା ‘ଗୋ ଗ୍ଲୋବାଲ’

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନକୁ ଆଉପାଦେ ଆଗକୁ ନେବାକୁ ପଦକ୍ଷେପ ନେଇଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)। ଡେଷ୍ଟିନେଶନ ଓ୍ବେଡିଂ ପ୍ୟାକେଜ୍‌ ପରେ ପ୍ରଥମଥର ଲାଗି ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣ ପ୍ୟାକେଜ୍‌ ‘ଗୋ ଗ୍ଲୋବାଲ’ର ଶୁଭାରମ୍ଭ କରାଯାଇଛି। ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଦୁବାଇ ଭଳି ୫ ପ୍ରମୁଖ ଡେଷ୍ଟିନେଶନକୁ ଓଟିଡିସି ପକ୍ଷରୁ ଟୁର୍‌ ପ୍ୟାକଜ୍‌ ଘୋଷଣା କରାଯାଇଛି। ରାଜ୍ୟ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଗମ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରିଥିବାବେଳେ ପ୍ୟାକେଜ୍‌ର ଦାମ୍‌ ପକେଟ୍‌କୁ ସୁହାଇଲା ଭଳି ରହିଥିବା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି। ଗୁରୁବାର ପାନ୍ଥନିବାସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ୟାକେଜ୍‌ର ଲୋଗୋ ଉନ୍ମୋଚନ କରି ସେ କହିଥିଲେ, ୩ ରାତି ଓ ୪ ଦିନିଆ ଏହି ପ୍ୟାକେଜ୍‌ରେ ପର୍ଯ୍ୟଟକଙ୍କ ଯିବାଆସିବା ଓ ରହଣି ସାମିଲ ହେବ। ଏଥିରେ ଯିବାଆସିବା ଭଡ଼ା, ଭିଜା ଖର୍ଚ୍ଚ, ଭ୍ରମଣ ବୀମା, ହୋଟେଲ ରହଣି, ପ୍ରାତଃ ଭୋଜନ, ରାତ୍ରି ଭୋଜନ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ। ଥାଇଲାଣ୍ଡ ପାଇଁ ମୁଣ୍ଡ ପିଛା ୨୪,୯୯୦ ଟଙ୍କା ଦେୟ ଥିବାବେଳେ ମାଲେସିଆ ୨୯,୯୯୦ ଟଙ୍କା, ସିଙ୍ଗାପୁର ୩୯,୯୯୦ ଟଙ୍କା, ଇଣ୍ଡୋନେସିଆର ବାଲି ପାଇଁ ୩୪,୯୯୦ ଟଙ୍କା ଏବଂ ଦୁବାଇ ନିମନ୍ତେ ୫୩,୯୯୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଥିବା ସେ କହିଥିଲେ।
ଏହି ଅବସରରେ ଓଟିଡିସିର ସଫଳତା ସମ୍ପର୍କରେ ଏମ୍‌ଡି ହେମକାନ୍ତ ସାଏ ସୂଚନା ଦେଇଥିଲେ। ୨ ମାସରେ ଇକୋ ରିଟ୍ରିଟ୍‌ରେ ହାରାହାରି ୭୬% ବୁକିଂ ଶେଷ ହୋଇଛି। ସେହିଭଳି ଓଟିଡିସି ପକ୍ଷରୁ ସାତକୋଶିଆ, ଭିତରକନିକା, ମଙ୍ଗଳାଯୋଡ଼ି, ରାଜହଂସ ଓ ବଡ଼କୂଳ ଭଳି ସ୍ଥାନକୁ ଆରମ୍ଭ ହୋଇଥିବା ଦିନିକିଆ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ୱାରା ସର୍ବାଧିକ ଆଦୃତ ହୋଇଛି। କେବଳ ଇକୋ-ଟୁରିଜମ୍‌ ପ୍ୟାକେଜ୍‌ର ୯୦% ବୁକିଂ ରହୁଛି। ଗତ ଡିସେମ୍ବରରେ ଚୁକ୍ତିବଦ୍ଧ ହୋଇଥିବା ‘ମେକ୍‌ ମାଇଁ ଟ୍ରିପ୍‌’, ‘ଗୋ-ଆଇବିବୋ’ ଏବଂ ‘ଯାତ୍ରା ଡଟ୍‌ କମ୍‌’ ଭଳି ବିଭିନ୍ନ ସଂସ୍ଥା ଦ୍ବାରା ଅନ୍‌ଲାଇନ୍‌ରେ ୮୦ଲକ୍ଷ ଟଙ୍କାର ରୁମ୍‌ ବୁକିଂ ହୋଇପାରିଛି। ବିଗତବର୍ଷ ୩୫ଟି ଉତ୍ସବ ଏବଂ ବିଭିନ୍ନ ବେଳାଭୂମି ଉତ୍ସବରେ ଓଟିଡିସିର ଯୋଗଦାନ ସାଙ୍ଗକୁ କଳା, ସଂସ୍କୃତିର ପ୍ରଚାର ଏବଂ ଓଡ଼ିଆ ଖାଦ୍ୟ ସମ୍ଭାରର ପରିବେଷଣ ଲାଗି ନିଗମ ପ୍ରଶଂସିତ ହୋଇଛି। କିଛିଦିନ ତଳେ ଚିଲିକା କୂଳରେ ଥିବା ରମ୍ଭା ଓ ବଡ଼କୁଳ ପାନ୍ଥନିବାସ, ଗୋପାଳପୁର, ଚାନ୍ଦିପୁର, ପୁରୀ ଓ କୋଣାର୍କ ପାନ୍ଥନିବାସରେ ଓଟିଡିସି ପକ୍ଷରୁ ଡେଷ୍ଟିନେଶନ୍‌ ୱେଡିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ମାତ୍ର ଦୁଇମାସରୁ କମ୍‌ ସମୟ ମଧ୍ୟରେ ଏଠାରେ ୨୦ଟି ବାହାଘର ସମ୍ପନ୍ନ ହୋଇଛି। ଏହାବ୍ୟତୀତ ବର୍ତ୍ତମାନ ଖେଲୋ ଇଣ୍ଡିଆ ଏବଂ ଅଲ୍‌ଇଣ୍ଡିଆ ଫରେଷ୍ଟ ଗେମ୍‌ ପରି ୨ଟି ବଡ଼ ଇଭେଣ୍ଟର ଟ୍ରାନ୍ସପୋର୍ଟ ଏବଂ ଆକୋମୋଡେଶନ୍‌ ଦାୟିତ୍ୱ ଓଟିଡିସି ବହନ କରୁଥିବା ସାଏ କହିଛନ୍ତି।

Share